ପୂର୍ବପାଠରେ ପଢ଼ିଛେ, ସାର୍ଥକ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କହନ୍ତି। ଏହି ଶବ୍ଦକୁ ମଧ୍ୟ ପ୍ରାତିପଦିକ କୁହାଯାଏ। ରାମ, ରମା, ଗଛ, ଗଗନ, ତୁମେ, ନଈ, ଦୟା ଓ ବହି ପ୍ରଭୃତି ଶବ୍ଦଗୁଡ଼ିକ ଏକ ଏକ ପ୍ରାତିପଦିକ।
ବାକ୍ୟ
୧. ଦେଶକୁ ଭଲପାଇଲେ ଆମେ ପ୍ରକୃତ ଦେଶପ୍ରେମୀ ହୋଇପାରିବା।
୨. ମହାତ୍ମାଗାନ୍ଧି
ହରିଜନମାନଙ୍କ ପାଇଁ ବିଭିନ୍ନ ସେବାକାର୍ଯ୍ୟ କରିଥିଲେ। ଏହି ଉଦାହରଣ ଦୁଇଟି ଗୋଟିଏ ଗୋଟିଏ
ଭାବପ୍ରକାଶକ ପୂର୍ଣ୍ଣାଙ୍ଗ ଉକ୍ତି।
ଯେ କୌଣସି ଭାବପ୍ରକାଶକ ପୂର୍ଣ୍ଣାଙ୍ଗ ଉକ୍ତିକୁ ବାକ୍ୟ କହନ୍ତି। ଉପର ଉଦାହରଣରୁ
(୧) ଦେଶକୁ ଭଲ ପାଇଲେ ଆମେ... ଏବଂ (୨) ମହାତ୍ମାଗାନ୍ଧି ହରିଜନମାନଙ୍କ ପାଇଁ... ଦୁଇଟି
ଭାବବୋଧକ ପୂର୍ଣାଙ୍ଗ ଉକ୍ତି ନୁହେଁ, ତେଣୁ ବାକ୍ୟ ନୁହେଁ ।
ଅନୁଚ୍ଛେଦ
କୌଣସି ଏକ ବିଷୟରେ ପ୍ରବନ୍ଧ ଲେଖିଲାବେଳେ ଆମେ ପ୍ରବନ୍ଧଟିକୁ ଭାଗଭାଗ କରି ଲେଖିଥାଉ। ସେହି ପ୍ରତ୍ୟେକ ଭାଗକୁ ଅନୁଚ୍ଛେଦ କହନ୍ତି। କେତେଗୁଡ଼ିଏ ବାକ୍ୟ ମିଶିଲେ ଏକ ଅନୁଚ୍ଛେଦ ହୁଏ। ପୂର୍ବବର୍ତୀ ବାକ୍ୟର ପରବର୍ତ୍ତୀ ବାକ୍ୟ ସହିତ ସମ୍ବନ୍ଧ ଥାଏ। ପ୍ରତ୍ୟେକ ଅନୁଚ୍ଛେଦରେ ଗୋଟିଏ ଭାବନା ବା ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ। ଭାବନାର ପରିପ୍ରକାଶକୁ ନେଇ ଅନୁଚ୍ଛେଦ ବଡ଼ ବା ସାନ ହୋଇଥାଏ। ଅନୁଚ୍ଛେଦଦ୍ୱାରା ଲେଖା ସୁନ୍ଦର ଓ ସୁପାଠ୍ୟ ହୁଏ।
ପଦ
ଛାତ୍ରମାନେ ବିଜ୍ଞାନମେଳାରୁ ବସ୍ରେ ବିଦ୍ୟାଳୟକୁ ଫେରିଲେ। ଏହି ବାକ୍ୟଟିରେ ପାଞ୍ଚଟି ଅଂଶ ରହିଛି। ଯଥା ଛାତ୍ରମାନେ, ବିଜ୍ଞାନମେଳାରୁ, ବସ୍ରେ, ବିଦ୍ୟାଳୟକୁ ଓ ଫେରିଲେ। ଏଗୁଡ଼ିକ ଗୋଟିଏ ଗୋଟିଏ ପଦ। କାରଣ- ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ।
ଏହି ପଦଗୁଡ଼ିକରୁ ମାନେ, ରୁ, ରେ, କୁ ପ୍ରଭୃତିକୁ ବାଦ୍ ଦେଲେ ପଦଗୁଡ଼ିକ କେବଳ ମୂଳଶବ୍ଦ ଆକାରରେ ରହେ। ଯଥା- ଛାତ୍ର (ମାନେ), ବିଜ୍ଞାନମେଳା (ରୁ), ବସ୍ (ରେ), ବିଦ୍ୟାଳୟ (କୁ)। ମୂଳଶବ୍ଦକୁ ପ୍ରାତିପଦିକ କହନ୍ତି। ଏଥୁରୁ ଆମେ ଜାଣିଲେ, ଶବ୍ଦ (ପ୍ରାତିପଦିକ) ବାକ୍ୟରେ ବ୍ୟବହୃତ ହେଲେ ତାକୁ ପଦ କହନ୍ତି।
କେତେକ କ୍ଷେତ୍ରରେ ବାକ୍ୟରେ ମୂଳଶବ୍ଦ ମଧ୍ୟ ବ୍ୟବହୃତ ହୋଇଥାଏ। ଯଥା- ରମେଶ ଶ୍ରେଣୀରେ ବହି ପଢୁଛି। ଏହି ବାକ୍ୟରେ ରମେଶ ଓ ବହି ପଦରେ କିଛି ଚିହ୍ନ ବା ବର୍ଣ୍ଣ ଲାଗି ନାହିଁ । ଅତଏବ ବାକ୍ୟରେ ବ୍ୟବହୃତ ଶବ୍ଦରେ କିଛି ଲାଗି ଥାଉ ବା ନ ଥାଉ ତାହା ପଦ।
ଉପର ଉଦାହରଣରେ ଫେରିଲେ ମଧ୍ୟ ଏକ ପଦ; ମାତ୍ର ଏହାର ମୂଳଶବ୍ଦ ନୁହେଁ। ‘ଫେରିଲେ’ କ୍ରିୟାପଦ। ଏହା ‘ଫେର୍’ରୁ ଆସିଅଛି। ଏହା ଏକ ଧାତୁ। ସେହିପରି ଯାଉଛି, ପଢ଼ିଲା, ହସିବ, ଖାଉଛି ପ୍ରଭୃତି ପଦଗୁଡ଼ିକର ଧାତୁ ହେଉଛି- ଯା, ପଢ଼୍, ହସ୍, ଖା। ଶବ୍ଦ ଓ ଧାତୁକୁ ପ୍ରକୃତି କହନ୍ତି। ବାକ୍ୟରେ ବ୍ୟବହୃତ ଶବ୍ଦ ଓ ଧାତୁର ପରେ ଯେଉଁ ଚିହ୍ନ ବା ବର୍ଣ୍ଣ ସଂଯୁକ୍ତ ହୋଇଥାଏ, ତାହାକୁ ବିଭକ୍ତି କହନ୍ତି । ବିଭକ୍ତିଯୁକ୍ତ ଶବ୍ଦ ଓ ଧାତୁକୁ ମଧ୍ୟ ପଦ କହନ୍ତି।
ପଦର ଶ୍ରେଣୀବିଭାଗ
କହିବା ଓ ଲେଖିବାବେଳେ ଅନେକେ ବାକ୍ୟ ପ୍ରୟୋଗ କରିଥା’ନ୍ତି। ସେହି ବାକ୍ୟଗୁଡ଼ିକରେ ଯେତେସବୁ ପଦ ବ୍ୟବହୃତ ହୋଇଥାଏ, ତାହାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି। ଯଥା-ବିଶେଷ୍ୟ, ସର୍ବନାମ, ବିଶେଷଣ, କ୍ରିୟା ଓ ଅବ୍ୟୟ।
ବିଶେଷ୍ୟ
ତଳଲିଖିତ ବାକ୍ୟଗୁଡ଼ିକୁ ଲକ୍ଷ୍ୟକର।
(କ) ଦିଲୀପ ତିର୍କୀ ଓଡ଼ିଶାର ଜଣେ ଆନ୍ତର୍ଜାତିକ
ହକି ଖେଳାଳି।
(ଖ) କୃଷକ ଓ ସୈନିକମାନେ ଦେଶର ପ୍ରକୃତ ମେରୁଦଣ୍ଡ।
(ଗ) ପଥର ଓ
ମାଟିରେ ମୂର୍ତ୍ତି ନିର୍ମିତ ହୁଏ।
(ଘ) ସେବା, ଦୟା ଓ ପରୋପକାର ମନୁଷ୍ୟ ଜୀବନକୁ ମହାନ୍
କରେ।
(ଙ) କହିବାଠାରୁ କରିବା କଠିନ!
ଉପର ଉଦାହରଣରେ ଦିଲୀପ ଜଣେ ହକି ଖେଳାଳିର ନାମ; ଓଡ଼ିଶା ଭାରତର ଏକ ରାଜ୍ୟର ନାମ, କୃଷକ କୃଷି କରୁଥିବା ଲୋକଙ୍କର ସାଧାରଣ ନାମ, ସୈନିକ ଯୁଦ୍ଧ କରୁଥିବା ଲୋକଙ୍କର ସାଧାରଣ ନାମ, ପଥର ଓ ମାଟି ବସ୍ତୁର ନାମ; ସେବା, ଦୟା ଓ ପରୋପକାର ମନୁଷ୍ୟର ଏକ ଏକ ସୁଗୁଣର ନାମ ଓ କହିବା, କରିବା କାର୍ଯ୍ୟର ନାମ ପ୍ରକାଶ କରୁଛି। ଅତଏବ ନାମବାଚକ ପଦକୁ ବିଶେଷ୍ୟ ପଦ କହନ୍ତି।
ବିଶେଷ୍ୟ ପ୍ରକାର:
ନାମର ପ୍ରକାରକୁ ନେଇ ବିଶେଷ୍ୟ ପଦକୁ ପାଞ୍ଚ ଶ୍ରେଣୀରେ ବିଭକ୍ତ କରାଯାଏ।
୧. ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ-
ଦେବାଶିଷ, କପିଳାସ, କଟକ, କାବେରୀ, ମହାଭାରତ।
୨. ଜାତିବାଚକ ବିଶେଷ୍ୟ- ଛାତ୍ର,
ପର୍ବତ, ସହର, ନଦୀ, ଗ୍ରନ୍ଥ।
୩. ବସ୍ତୁବାଚକ ବିଶେଷ୍ୟ- ମାଟି, କାଠ, ଲୁହା,
ପାଣି, କୋଇଲା।
୪. ଗୁଣବାଚକ ବିଶେଷ୍ୟ- ଅହିଂସା, ସତ୍ୟ, ସରଳତା, ବାର୍ଦ୍ଧକ୍ୟ,
ଦାରିଦ୍ର୍ୟ।
୫. କ୍ରିୟାବାଚକ ବିଶେଷ୍ୟ- ଲେଖା, ପଢ଼ା, ଭୋଜନ, ହସ, ଖେଳ।
ବ୍ୟକ୍ତିବାଚକ ବା ସଂଜ୍ଞାବାଚକ ବିଶେଷ୍ୟ :
ନିର୍ଦ୍ଦିଷ୍ଟ ନାମ ପ୍ରକାଶ କରୁଥିବା ପଦଗୁଡ଼ିକୁ ବ୍ୟକ୍ତିବାଚକ ବିଶେଷ୍ୟ କହନ୍ତି। ନାମକୁ
ମଧ୍ୟ ସଂଜ୍ଞା କୁହାଯାଏ। ଏଣୁ ବ୍ୟକ୍ତି ବାଚକ ବିଶେଷ୍ୟର ଅନ୍ୟ ନାମ ସଂଜ୍ଞାବାଚକ ବିଶେଷ୍ୟ।
ଏହି ଶ୍ରେଣୀର ବିଶେଷ୍ୟ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ, ସହର, ପର୍ବତ, ବନ, ପଶୁପକ୍ଷୀ,
ସମୁଦ୍ର, ହ୍ରଦ, ନଦୀ, ଗ୍ରନ୍ଥ, ଦେଶ ଓ ପ୍ରଦେଶର ନାମକୁ ବୁଝାଇଥାଏ।
ଯଥା-
ବିବେକାନନ୍ଦ, ମନମୋହନ, ଟୁନା, ଗୌରୀ, ଈଶାନୀ, ଶତରୂପା, ଅନନ୍ୟା, ମଧୁସୂଦନ, ବ୍ୟୋମକେଶ ଓ
ଗୋଦାବରୀଶ ପ୍ରଭୃତି ବ୍ୟକ୍ତିବିଶେଷଙ୍କର ନାମ। ପୁରୀ, ହରିଦ୍ଵାର, ଦିଲ୍ଲୀ, ସମ୍ବଲପୁର,
ଚେନ୍ନାଇ, ଗୋପାଳପୁର ଓ ବାଙ୍କି ପ୍ରଭୃତି ନିର୍ଦ୍ଦିଷ୍ଟ ସହର, ଗ୍ରାମ ବା ସ୍ଥାନର ନାମ ଅଟେ।
ମହାନଦୀ, ଋଷିକୁଲ୍ୟା, ଗଙ୍ଗା, ଯମୁନା ଓ କୃଷ୍ଣା ପ୍ରଭୃତି ନିର୍ଦ୍ଦିଷ୍ଟ ନଦୀର ନାମ। ହିମାଳୟ,
ବିନ୍ଧ୍ୟ, ଗନ୍ଧମାର୍ଦ୍ଦନ, ମାମୁଭଣଜା, ଭାଲେରି ଓ ଦେଓମାଳୀ ପ୍ରଭୃତି ଏକ ଏକ ନିର୍ଦ୍ଦିଷ୍ଟ
ପର୍ବତ ବା ପାହାଡ଼ର ନାମ ପ୍ରକାଶ କରୁଛି। ଭାରତ, ନେପାଳ, ଚୀନ, ଇରାକ, ମର୍କୋ, ଇଟାଲୀ ଓ
ପାକିସ୍ତାନ ଇତ୍ୟାଦି ଏକ ଏକ ନିର୍ଦ୍ଦିଷ୍ଟ ଦେଶର ନାମ ଅଟେ। ଆରବସାଗର, ଭୂମଧ୍ୟସାଗର, ମରୁସାଗର
ପ୍ରଭୃତି ସାଗରର ନାମ। ଚିଲିକା, ଅଂଶୁପା, କାଷ୍ପିଆନ ପ୍ରଭୃତି ନିର୍ଦ୍ଦିଷ୍ଟ ହ୍ରଦର ନାମ।
ରାମଚରିତ ମାନସ, ରଘୁବଂଶମ୍, ନୈଷଧ, ଶ୍ରୀମଦ୍ ଭଗବଦ୍ ଗୀତା, ବାଇବେଲ ପ୍ରଭୃତି ନିର୍ଦ୍ଦିଷ୍ଟ
ଗ୍ରନ୍ଥର ନାମ ଅଟେ।
ଜାତିବାଚକ ବିଶେଷ୍ୟ:
ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମକୁ ପ୍ରକାଶ କରିଥାଏ, ତାକୁ ଜାତିବାଚକ ବିଶେଷ୍ୟ କହନ୍ତି। ଏହା ଏକାଧିକ ଜାତିବାଚକ ବିଶେଷ୍ୟର ସାଧାରଣ ନାମ। ଜାତି ଅର୍ଥ ସମୂହ, ଯଥା- ମନୁଷ୍ୟ, ଶବର, ପଶୁ, ପକ୍ଷୀ, ପର୍ବତ, ବନ, ଗାଈ, ବୃକ୍ଷ, ନଦୀ, ହ୍ରଦ, ସମୁଦ୍ର, ଦେଶ ପ୍ରଭୃତି।
ମନୁଷ୍ୟ କହିଲେ ପୃଥିବୀରେ ବାସକରୁଥିବା ସମସ୍ତ ମଣିଷଙ୍କୁ ବୁଝାଏ; ମାତ୍ର ହରି, ଗୋବିନ୍ଦ, ସୀତା, ଦିନେଶ ଓ ଗାୟତ୍ରୀ କହିଲେ ମନୁଷ୍ୟ ଜାତିର ନିର୍ଦ୍ଦିଷ୍ଟ ନାମଧାରୀ ବ୍ୟକ୍ତିଙ୍କୁ ବୁଝାଇଥାଏ। ଏଣୁ ମନୁଷ୍ୟ ଜାତିବାଚକ ବିଶେଷ୍ୟ ହେଲାବେଳେ ହରି, ଗୋବିନ୍ଦ ପ୍ରଭୃତି ବ୍ୟକ୍ତିବାଚକ ବିଶେଷ୍ୟ। ‘ହାତୀ’ କହିଲେ ଗୋଟିଏ ଜାତିର ସମସ୍ତ ପଶୁଙ୍କୁ ବୁଝାଏ; ମାତ୍ର ‘ଐରାବତ’ କହିଲେ କେବଳ ଇନ୍ଦ୍ରଙ୍କର ହାତୀକୁ ବୁଝାଏ। ଏଣୁ ଯେଉଁ ନାମ ଏକାଧିକଙ୍କର ସାଧାରଣ ନାମ ଅଟେ, ତାହା ଜାତିବାଚକ ବିଶେଷ୍ୟ ଅଟେ।
ଜାତିବାଚକ ଓ ବ୍ୟକ୍ତିବାଚକ ବିଶେଷ୍ୟର ପାର୍ଥକ୍ୟ-
ଜାତିବାଚକ ବ୍ୟକ୍ତିବାଚକ
ମନୁଷ୍ୟ ରଘୁନାଥ
ଗାଈ
କାମଧେନୁ
ପୁସ୍ତକ ରାମାୟଣ
ଦେଶ
ତୁରସ୍କ
ଶବର ଗୁହକ
ପାହାଡ଼
ଘଣ୍ଟଶିଳା
ନଈ
ବୈତରଣୀ
ଫୁଲ ଗୋଲାପ
ନାମବାଚକ ବା ବ୍ୟକ୍ତି ବାଚକ ବିଶେଷ୍ୟର ଜାତିବାଚକ ବିଶେଷ୍ୟ ରୂପେ ବ୍ୟବହାର-
୧. ରସକଲ୍ଲୋଳକୁ ଓଡ଼ିଆ ସାହିତ୍ୟର ନୈଷଧ କୁହାଯାଉଛି ।
୨. ଫକୀରମୋହନଙ୍କୁ
ଓଡ଼ିଶାର ପ୍ରେମଚନ୍ଦ୍ର କୁହାଯାଏ।
୩. କାବେରୀକୁ ଦକ୍ଷିଣ ଭାରତର
ଗଙ୍ଗା କହନ୍ତି।
୪. ନେଲସନ୍ ମାଣ୍ଡାଲାଙ୍କୁ ଆଫ୍ରିକାର
ମହାତ୍ମାଗାନ୍ଧି କୁହାଯାଏ।
୫. ସମୁଦ୍ରଗୁପ୍ତ ଭାରତର ନେପୋଲିଅନ୍ ରୂପେ
ପରିଚିତ।
୬. ଆଉଜଣେ ଦିଲୀପ ତିର୍କୀ ହେବା ନୀଳିମାଙ୍କର ଲକ୍ଷ୍ୟ।
୭.
କଟକକୁ ଓଡ଼ିଶାର କଲିକତା କୁହାଯାଉଛି।
୮. ବାଳି କହିଲା, ‘ଯା’ ଯା, ମୁଁ ତୋପରି
କେତେ ରାବଣ ଦେଖିଛି।
ଉପର ଉଦାହରଣଗୁଡ଼ିକରେ ଉତ୍କର୍ଷ ବା ବିଶେଷତ୍ଵ ପ୍ରତିପାଦନ ନିମିତ୍ତ ରସକଲ୍ଲୋଳକୁ ନୈଷଧ ସହିତ, ଫକୀରମୋହନଙ୍କୁ ପ୍ରେମଚନ୍ଦ୍ରଙ୍କ ସହିତ, କାବେରୀକୁ ଗଙ୍ଗା ସହିତ ଓ ନେଲସନ୍ ମାଣ୍ଡାଲାଙ୍କୁ ମହାତ୍ମାଗାନ୍ଧିଙ୍କ ସହିତ ତୁଳନା କରାଯାଇଛି।
ପ୍ରକୃତରେ ରସକଲ୍ଲୋଳ ନୈଷଧ ନୁହେଁ କି ଫକୀର ମୋହନ ପ୍ରେମଚନ୍ଦ୍ର ନୁହନ୍ତି, ଅଥବା କାବେରୀ ଗଙ୍ଗା ନୁହେଁ କି ନେଲସନ ମାଣ୍ଡାଲା ମହାତ୍ମାଗାନ୍ଧି ନୁହନ୍ତି। ସମୁଦ୍ରଗୁପ୍ତ ମଧ୍ୟ ନେପୋଲିଅନ ନୁହନ୍ତି। ଅର୍ଥାତ୍ ରସକଲ୍ଲୋଳ ନୈଷଧ ପରି ଏକ ମହାନ୍ କାବ୍ୟ, ଫକୀରମୋହନ ପ୍ରେମଚନ୍ଦ୍ରଙ୍କ ପରି ସୁପ୍ରସିଦ୍ଧ ଲେଖକ, କାବେରୀ ଗଙ୍ଗା ପରି ପବିତ୍ରାନଦୀ ଓ ନେଲସନ ମାଣ୍ଡାଲା ମହାତ୍ମାଗାନ୍ଧିଙ୍କ ପରି ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଜନନାୟକ। ସମୁଦ୍ରଗୁପ୍ତ ନେପୋଲିଅନଙ୍କ ପରି ବିଖ୍ୟାତ ବୀର। ଏଇ ଦୃଷ୍ଟିରୁ ବ୍ୟକ୍ତିବାଚକ ବିଶେଷ୍ୟପଦ ନୈଷଧ, ପ୍ରେମଚନ୍ଦ୍, ଗଙ୍ଗା, ମହାତ୍ମାଗାନ୍ଧି, ନେପୋଲିୟନ ନିର୍ଦ୍ଦିଷ୍ଟ ନାମ ନ ହୋଇ ଏକାଧିକ ନାମ ବା ବ୍ୟକ୍ତିରେ ପରିଣତ ହୋଇଛନ୍ତି। ଅର୍ଥାତ୍ ସେମାନେ ଜାତି ବା ସମୂହର ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଣୁ ଉକ୍ତ ପଦଗୁଡ଼ିକ ଜାତିବାଚକ ବିଶେଷ୍ୟ। ‘ଆଉଜଣେ ଦିଲୀପ ତିର୍କି’ କହିଲେ ଦିଲୀପ ତିର୍କିଙ୍କ ପରି ପ୍ରସିଦ୍ଧ ହକି ଖେଳାଳି ହେବା। ସୁତରାଂ ‘ଦିଲୀପ ତିର୍କି’ ଏକାଧିକ ବ୍ୟକ୍ତିଙ୍କୁ ବୁଝାଉଥିବାରୁ ବ୍ୟକ୍ତିବାଚକ ବିଶେଷ୍ୟ ନ ହୋଇ ଜାତିବାଚକ ବିଶେଷ୍ୟ ଅଟେ। ସେହିପରି କଟକକୁ ‘କଲିକତା’ କୁହାଯାଉଥିବାରୁ ‘କଲିକତା’ ଏକାଧିକ ନଗରୀକୁ ବୁଝାଇଲା। ତେଣୁ ବ୍ୟକ୍ତିବାଚକ ବିଶେଷ୍ୟ ନ ହୋଇ ଜାତିବାଚକ ବିଶେଷ୍ୟ ଅଟେ। ସେହିପରି ‘କେତେ ରାବଣ’ କହିଲେ ରାବଣ ପରି ଶକ୍ତିଶାଳୀ ଅନେକ ଅସୁରଙ୍କୁ ବୁଝାଉଅଛି। ଏଣୁ ରାବଣ ଜାତିବାଚକ ବିଶେଷ୍ୟ।
ବସ୍ତୁବାଚକ ବିଶେଷ:
ବସ୍ତୁର ନାମ ପ୍ରକାଶ କରୁଥିବା ବିଶେଷ୍ୟ ପଦକୁ ବସ୍ତୁବାଚକ ବିଶେଷ୍ୟ କହନ୍ତି। ଯଥା- କ୍ଷୀର, ତେଲ, ପେଟ୍ରୋଲ, କାଗଜ, ତୁଳା, କାଠ, ପଥର, ଜଳ, ସୁନା, ରୁପା, ବ୍ରୋଞ୍ଜ, ତମ୍ବା, କଂସା, ଲୁହା, ଲୁଣ, ମାଟି, ଚାଉଳ, ଗହମ।
ବସ୍ତୁବାଚକ ଓ ଜାତିବାଚକ ବିଶେଷ୍ୟ ମଧ୍ୟରେ ପାର୍ଥକ୍ୟ: ବେଳେବେଳେ ବସ୍ତୁବାଚକ ବିଶେଷ୍ୟ ଓ ଜାତିବାଚକ ବିଶେଷ୍ୟ ଜାଣିବାରେ ସନ୍ଦେହ ସୃଷ୍ଟି ହୋଇଥାଏ; ମାତ୍ର ବସ୍ତୁଟିକୁ ଖଣ୍ଡଖଣ୍ଡ କଲେ ମଧ୍ୟ ଯଦି ନାମରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ତାହା ବସ୍ତୁବାଚକ ବିଶେଷ୍ୟ। ଯଦି ସେହି ନାମରେ ପରିଚିତ ନ ହୁଏ, ତାହା ଜାତିବାଚକ ବିଶେଷ୍ୟ।
ପାର୍ଥକ୍ୟର ଉଦାହରଣ-
ବସ୍ତୁବାଚକ ବିଶେଷ୍ୟ ଜାତିବାଚକ ବିଶେଷ୍ୟ
ମାଟି ମୂର୍ତ୍ତି
କାଠ
ଖଟ
କାଗଜ ବହି
ଗୁଣବାଚକ ବିଶେଷ୍ୟ:
ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଉଥିବା ବିଶେଷ୍ୟ ପଦକୁ ଗୁଣବାଚକ ବିଶେଷ୍ୟ କହନ୍ତି। ଯଥା- ସମତା, ସାଧୁତା, ସରଳତା, ସହିଷ୍ଣୁତା, ସୁଶୀଳତା, ଧୀରତା, ନମ୍ରତା, ଉଦାରତା, ବନ୍ଧୁତା, କପଟତା, ରୁଗ୍ଣତା, ମମତା, ସ୍ନେହ, ଶ୍ରଦ୍ଧା, ସତ୍ୟ, ସୁଖ, ଦୁଃଖ, ଦୟା, କ୍ଷମା, ଗର୍ବ, ଭକ୍ତି, ଧୈର୍ଯ୍ୟ, ଦାରିଦ୍ର୍ୟ, ଚାଞ୍ଚଲ୍ୟ, ଅହିଂସା, ଦୁଷ୍ଟାମି, ଠକାମି, ଚଗଲାମି, ସେବା, ପରୋପକାର, ପାଣ୍ଡିତ୍ୟ, ବୀରତ୍ଵ, କ୍ରୋଧ, ଶୈଶବ, ବାଲ୍ୟ, କୈଶୋର, ଯୌବନ, ଅହଂକାର, ଚୌର୍ଯ୍ୟ, ସାହସ ଓ ଶ୍ରଦ୍ଧା ଇତ୍ୟାଦି। ଭଲ ଓ ମନ୍ଦ ଉଭୟ ଗୁଣକୁ ପ୍ରକାଶ କରୁଥିବା ପଦଗୁଡ଼ିକ ଗୁଣବାଚକ ବିଶେଷ୍ୟର ଅନ୍ତର୍ଗତ।
କ୍ରିୟାବାଚକ ବିଶେଷ୍ୟ:
ଯେଉଁ ପଦ କୌଣସି କ୍ରିୟାର ନାମକୁ ବୁଝାଏ, ତାହାକୁ କ୍ରିୟାବାଚକ ବିଶେଷ୍ୟ କହନ୍ତି। ଯଥା- ଯିବା, ଆସିବା, ପଢ଼ିବା, ଲେଖିବା, ହସିବା, କାନ୍ଦିବା, ଧାଇଁବା, ଦେବା, ନେବା, ଦର୍ଶନ, ଭ୍ରମଣ, ଲିଖନ, ପଠନ, ଭୋଜନ, ପାନ, ରୋଦନ, କ୍ରନ୍ଦନ, ହସ, ଖେଳ, କାନ୍ଦ, ବୀଜଣା, ରାନ୍ଧଣା, ମାଜଣା, ମିଶାଣ, ଜଣାଣ, ବନ୍ଦାଣ, ଭସାଣି, ଭାଳେଣି, ଗତି, ପ୍ରାପ୍ତି, ମୁକ୍ତି, ବିଶ୍ରାମ, ପାକ ଇତ୍ୟାଦି।
କ୍ରିୟା ଓ କ୍ରିୟାବାଚକ ବିଶେଷ୍ୟ ମଧ୍ୟରେ ପାର୍ଥକ୍ୟ :
୧. ଶିକ୍ଷକ ଚୌକିରେ ବସିଛନ୍ତି।
୨. ରୋଗୀଟି ଜୋର୍ରେ
କାଶୁଛି।
୩. ବସିବାଠାରୁ କାଶିବା ଭଲ।
୪. ମୁଁ ପୁରୀ
ବେଳାଭୂମିରେ ସମୁଦ୍ର ଦେଖିଛି।
୫. ପୁରୀ ବେଳାଭୂମିରେ ସମୁଦ୍ର-ଦର୍ଶନ
ଅତ୍ୟନ୍ତ ଚିତ୍ତାକର୍ଷକ।
ଉପର ଉଦାହରଣରେ ବସିଛନ୍ତି, କାଶୁଛି, ଦେଖିଛି କ୍ରିୟାପଦ ହୋଇଥିଲାବେଳେ ବସିବା, କାଶିବା ଓ ଦର୍ଶନ କ୍ରିୟାବାଚକ ବିଶେଷ୍ୟ।
କେହିକେହି ବୈୟାକରଣିକ ଜନତା, ସେନା, ଦଳ, ଗୋଠ, ବୃନ୍ଦ, ଯୂଥ, ଶ୍ରେଣୀ ପ୍ରଭୃତି ସମୂହ ଅର୍ଥବୋଧକ ବିଶେଷ୍ୟ ପଦକୁ ସମଷ୍ଟିବାଚକ ବିଶେଷ୍ୟ ରୂପେ ନାମିତ କରିଥା’ନ୍ତି; ମାତ୍ର ଏଭଳି ପଦଗୁଡ଼ିକ ଜାତିବାଚକ ବିଶେଷ୍ୟର ଅନ୍ତର୍ଭୁକ୍ତ ହୋଇପାରନ୍ତି ।
ଅନୁଶୀଳନୀ
୧. ପ୍ରାତିପଦିକ କାହାକୁ କହନ୍ତି ?
୨. ପଦ କାହାକୁ କହନ୍ତି ଓ ଏହା କେତେ ପ୍ରକାର?
ପ୍ରତ୍ୟେକର ନାମ ଲେଖ।
୩. ଦେଉଳ, ଗାଈ, କଲମ, ଭାରତ, ମେଘ- ଏହି ଶବ୍ଦଗୁଡ଼ିକୁ ପଦରୂପେ
ବାକ୍ୟରେ ବ୍ୟବହାର କର।
୪. ବିଶେଷ୍ୟ ପଦ କାହାକୁ କହନ୍ତି ? ଏହା କେତେ ପ୍ରକାର ଓ କ’ଣ
କ’ଣ ?
୫. ନିମ୍ନଲିଖତ ବାକ୍ୟଗୁଡ଼ିକରୁ ବିଶେଷ୍ୟ ପଦଗୁଡ଼ିକୁ ଚିହ୍ନାଇ କିଏ କି ପ୍ରକାର
ବିଶେଷ୍ୟ ଲେଖ।
(କ) ଡକ୍ଟର ରାଧାକୃଷ୍ଣନ୍ ଭାରତର
ରାଷ୍ଟ୍ରପତି ଥିଲେ।
(ଖ) ସାରଳା ଦାସ ଓଡ଼ିଶାର
ବାଲ୍ମୀକି ଅଟନ୍ତି।
(ଗ) ଟେବୁଲ ଉପରେ କାଳି,
କଲମ, ବହି, କାଗଜ ଅଛି।
(ଘ) ଜନସେବକମାନେ ବନ୍ୟା
ସମୟରେ ସାହସର ସହିତ ଡଙ୍ଗାରେ ଯାଇ ଗାଁ’ ଗଣ୍ଡାରେ ଚୁଡ଼ାଚାଉଳ ବାଣ୍ଟନ୍ତି।
(ଙ) ଗ୍ରୀଷ୍ମ ଋତୁରେ ଆମ୍ବ, ପଣସ, ସପୁରି ପାଚେ।
(ଚ) ବିଜନତା କାହିଁ ତୋ ବେଶ ମୋହନ ?
(ଛ) ଚାଷୀ
ଦାଆରେ ଧାନ କାଟୁଛି।
୬. ଅସମ୍ପୃକ୍ତ ଶବ୍ଦକୁ ପୃଥକ୍ କରି ଲେଖ।
(କ) ଡାଲି, ବାଲି, ଚାଉଳ, ଚିନି, ଚୌକି
(ଖ)
ଇହୁଦୀ, ମନୁଷ୍ୟ, ଗୋରୁ, ଗଙ୍ଗା, ଗଛ, ନଦୀ
(ଗ)
ଭକ୍ତି, ଭୟ, ଦୟା, ଦମ୍ଭ, ଦୁର୍ଗା, ଖ୍ୟାତି
(ଘ)
ରନ୍ଧନ, ଭୋଜନ, ଗାଉଣା, ଗାୟକ, ମରଣ
(ଙ) ରମା,
ରମେଶ, ରାଣୀ, ରାମାୟଣ, ପାରିଜାତ, ପଦ୍ମାଳୟା
୭. ବ୍ୟକ୍ତିବାଚକ ବିଶେଷ୍ୟ କିପରି
ଜାତିବାଚକ ବିଶେଷ୍ୟରେ ପରିଣତ ହୁଏ, ଉଦାହରଣ ଦେଇ ବୁଝାଅ।
୮. ‘ମରିବା’ ଅର୍ଥ ବୁଝାଉଥବା
ଆଉ ଗୋଟିଏ ଶବ୍ଦ ‘ମରଣ’। ସେହିପରି ତଳଲିଖିତ ଶବ୍ଦଗୁଡ଼ିକ ଅର୍ଥ ପ୍ରକାଶପାଇଁ ପାର୍ଶ୍ଵରେ ଆଉ
ଗୋଟିଏ ଲେଖାଏଁ ଶବ୍ଦ ଲେଖ। କହିବା, ଦେଖିବା, ଶୁଣିବା, ଶୋଇବା, ଲେଖିବା, ବାନ୍ଧିବା, ପଠାଇବା,
ସହିବା, ଅର୍ଜିବା, ଗର୍ଜିବା, ଗାଇବା, ଦେବା, ପିଇବା
୯. ନିମ୍ନଲିଖତ ଶବ୍ଦଗୁଡ଼ିକ
ମଧ୍ୟରୁ ବସ୍ତୁବାଚକ ଓ ଜାତିବାଚକ ବିଶେଷ୍ୟକୁ ପୃଥକ୍ କରି ଲେଖ।
ଦୁଧ, ଦହି, ଲୁଗା,
ତୁଳା, କାତି, ଲୁହା, କାକୁଡ଼ି, ବହି, କଲମ, କାଗଜ, ବାଉଁଶ, ବାଉଁଶିଆ, କରେଇ, ବାକ୍ସ,
ସିମେଣ୍ଟ, କାଠ, ଚଉକି, ଇସ୍ପାତ, ସାଇକେଲ।
୧୦. ପାଞ୍ଚଟି ଗୁଣବାଚକ ବିଶେଷ୍ୟ ପଦର
ଉଦାହରଣ ଦିଅ।
୧୧. ‘କ’ ସ୍ତମ୍ଭରେ କେତେଗୁଡ଼ିଏ ବିଶେଷ୍ୟ ପଦ ଓ ‘ଖ’ ସ୍ତମ୍ଭରେ
ସେଗୁଡ଼ିକ କେଉଁ ପ୍ରକାର ବିଶେଷ୍ୟ ପଦ ଉଲ୍ଲେଖ ଅଛି। ଯଥାର୍ଥ ବିଶେଷ୍ୟ ପଦ ସହିତ ତାହା
କେଉଁଶ୍ରେଣୀର ବିଶେଷ୍ୟ ସଂଯୋଗ କର।
ଗନ୍ଧମାର୍ଦ୍ଦନ କ୍ରିୟାବାଚକ
ସରଳତା ଜତିବାଚକ
ଭୋଜନ ସଂଜ୍ଞାବଚକ
ମାଟି ଗୁଣବାଚକ
ପର୍ବତ ବସ୍ତୁ ବାଚକ
୧୨. ଚାରିଗୋଟି ବିକଳ୍ପ ଉତ୍ତର
ମଧ୍ୟରୁ ସଠିକ୍ ଉତ୍ତରଟି ବାଛିଲେଖ। ରେଖାଙ୍କିତ ପଦଟି କି ପ୍ରକାର ବିଶେଶ୍ୟ।
ପ୍ରଶ୍ନ -
ଲେଉଟ ଚକୁଳି ଖାଇ, ମୁଁ ପିତାଙ୍କ ସଙ୍ଗେ ଘରୁ ଗୋଡ଼କାଢ଼ିଲି।
(କ) ଜାତିବାଚକ (ଖ) ବସ୍ତୁବାଚକ
(ଗ) ଗୁଣବାଚକ
(ଘ) କ୍ରିୟାବାଚକ
ପ୍ରଶ୍ନ – ଦରିଦ୍ର କୁଟୀରରେ ବଡ଼ ନିଧି ହେଉଛି
ପିଲା।
(କ) ସଂଜ୍ଞାବାଚକ (ଖ) ଜାତିବାଚକ
(ଗ) ଗୁଣବାଚକ (ଘ) କ୍ରିୟାବାଚକ
ପ୍ରଶ୍ନ
- ବର୍ମା ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ।
(କ) ଜାତିବାଚକ (ଖ) ଗୁଣବାଚକ
(ଗ) ସଂଜ୍ଞାବାଚକ
(ଘ) କ୍ରିୟାବାଚକ