ଓଡ଼ିଆ ଶବ୍ଦସମ୍ପଦ :
ଓଡ଼ିଆ ଆଜି ଏକ ପ୍ରତିଷ୍ଠିତ ଭାଷା। ଏହାର ଭାଷାଭଣ୍ଡାର ବିବିଧ ଶବ୍ଦ ସମ୍ପଦରେ ପରିପୂର୍ଣ୍ଣ। ଓଡ଼ିଆ ବ୍ୟତୀତ ଅନେକ ଦେଶୀ ବିଦେଶୀ ଶବ୍ଦାବଳୀରେ ଓଡ଼ିଆ ଭାଷା ପରିପୁଷ୍ଟ। ସାମ୍ପ୍ରତିକ ଯୁଗରେ ବିଭିନ୍ନ କାରଣରୁ ଗୋଟିଏ ଭାଷାର ଶବ୍ଦଭଣ୍ଡାରକୁ ଭିନ୍ନଭିନ୍ନ ଭାଷାରୁ ଶବ୍ଦଗୁଡ଼ିକ ପ୍ରବେଶ କରୁଛନ୍ତି। ନୂତନ ଶବ୍ଦ ଆହରଣ ଦ୍ଵାରା ହିଁ ଏକ ଭାଷା ସମୃଦ୍ଧ, ବଳିଷ୍ଠ ଓ ସହଜ ଭାବପ୍ରକାଶକ ହୋଇଥାଏ।
ଶବ୍ଦ :
ଅର୍ଥବୋଧକ ଏକ ବା ଏକାଧୂକ ବର୍ଣ୍ଣକୁ ଶବ୍ଦ କହନ୍ତି। ଯଥା- ମା (ଜନନୀ), କ (ଜଳ), ଅହି (ସାପ), କମଳ (ପଦ୍ମ), ଆକାଶବାଣୀ (ବେତାରବାର୍ତ୍ତା)। ଅର୍ଥହୀନ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଶବ୍ଦ ନୁହେଁ। ଯଥା- ଡ, ଟନପ, ମପ, କାବଟାବ।
ଶବ୍ଦବିଭାଗ- ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦସମୂହକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ। ଯଥା- ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ।
ତତ୍ସମ ଶବ୍ଦ- ଆମେ ବ୍ୟବହାର କରୁଥିବା ଅବିକଳ ସଂସ୍କୃତ ଶବ୍ଦଗୁଡ଼ିକୁ ତତ୍ସମ ଶବ୍ଦ କୁହାଯାଏ। 'ତତ୍ସମ' ର ଅର୍ଥ ତାହା ସହିତ ବା ସଂସ୍କୃତ ସହିତ ସମାନ। ଯଥା- ଅନଳ, ଅନୁଭବ, ଅଭିନୟ, ଆକ୍ରୋଶ, ସୂର୍ଯ୍ୟ, ପକ୍ଷୀ, ପ୍ରଭାତ, ସୁଖ, ଦୁଃଖ, ନିଦ୍ରା ହସ, ପର୍ବତ, ନଦୀ, ସାଗର, ସେବା, ଦୟା, ରୋଗ, ଔଷଧ, ବର, କନ୍ୟା, ଗମନ, ପାଠ, ମନ୍ଦିର, ହୋମ, ଗୃହ, ମେଘ, ଜଳ, ଗୁରୁ, ସତ୍ୟ, ଶୀତଳ, ମଧୁର, ପୁଷ୍ପ, ପିତା, ମାତା, ଭଗିନୀ, ବୃକ୍ଷ, ଶାଖା, ଫଳ, ଲତା, ମାସ, ବର୍ଷ, ଋତୁ, ଧନ, ଧନୀ, ମୁର୍ଖ, ଚୋର, ସାଧୁ, ସନ୍ନ୍ୟାସୀ, ଋଷି, କବି, ଛବି, ପୃଥବୀ, ଗ୍ରହ, ବୀଣା, ମୃଦଙ୍ଗ, କବିତା ଓ ସଙ୍ଗୀତ ଇତ୍ୟାଦି। ଏହି ଶବ୍ଦଗୁଡ଼ିକୁ ମଧ୍ୟ ସାଧୁ ବା ମାର୍ଜିତ ଶବ୍ଦ କୁହାଯାଏ।
ତଦ୍ଭବ ଶବ୍ଦ- ସଂସ୍କୃତ ବା ତତ୍ସମ ଶବ୍ଦରୁ ସୃଷ୍ଟ ଶବ୍ଦକୁ ତଦ୍ଭବ ଶବ୍ଦ କୁହାଯାଏ। ତଦ୍ଭବର ଅର୍ଥ ସଂସ୍କୃତରୁ ଜାତ। ସମୟକ୍ରମେ ସଂସ୍କୃତ ଶବ୍ଦ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହେଉଛି। ଏହାକୁ ମଧ୍ୟ ଅପଭ୍ରଂଶ ଶବ୍ଦ କହନ୍ତି।
| ତତ୍ସମ | ତଦ୍ଭବ | ତତ୍ସମ | ତଦ୍ଭବ | ତତ୍ସମ | ତଦ୍ଭବ |
|---|---|---|---|---|---|
| ଅଗ୍ନି | ଅଗି | ଖଦୀର | ଖଇର | ନବ | ନଅ |
| ଅଷ୍ଟ | ଆଠ | ଗଭୀର | ଗହୀର | ଫେନ | ଫେଣ |
| ଉଦ୍ଗାତା | ଓତା | କାକ | କୂଆ | ବାମ | ବାଆଁ |
| ଅଲକ୍ତକ | ଅଳତା | କର୍ଣ୍ଣ | କାନ | ବାଷ୍ପ | ବାମ୍ଫ |
| କାଷ୍ଠ | କାଠ | ଚନ୍ଦ୍ର | ଚାନ୍ଦ | ଭାଦ୍ର | ଭୋଦୁଅ |
| କଚ୍ଛପ | କଇଁଛ | ଗୋଷ୍ଠ | ଗୋଠ | ଦଧି | ଦହି |
| କୈବର୍ତ୍ତ | କେଉଟ | ଜ୍ୱର | ଜର | ସ୍ଥବିର | ଥବିର |
| କୁମ୍ଭକାର | କୁମ୍ଭାର | ହସ୍ତୀ | ହାତୀ | ନୃତ୍ୟ | ନାଚ |
| କର୍କଟ | କଙ୍କଡ଼ା | ଲତା | ଲଟା | ସ୍ତନ | ଥନ |
| କୋମଳ | କଅଁଳ | ଗୋଧୂମ | ଗହମ | ଉକୁଣ | ଉକୁଣି |
| କୁମାରୀ | କୁଆଁରୀ | ଯବ | ଯଅ | ଆମିଷ | ଆଇଁଷ |
| ବାତ୍ୟା | ବାଆ | ଘୃତ | ଘିଅ | ବପ୍ତା | ବାପା |
| ଜାମାତା | ଜୋଇଁ | ମୃତ୍ତିକା | ମାଟି | ନଦୀ | ନଈ |
ଦେଶଜ ଶବ୍ଦ: ତତ୍ସମ ଓ ତଦ୍ଭବ ଶବ୍ଦକୁ ଛାଡ଼ିଦେଲେ ଆହୁରି ଅନେକ ଶବ୍ଦ ଓଡ଼ିଆ ଶବ୍ଦଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଯେଉଁ ଶବ୍ଦଗୁଡିକର ମୂଳ ଉତ୍ପତ୍ତିସ୍ଥଳ ଏଯାଏଁ ନିରୂପିତ ହୋଇନାହିଁ। କାହିଁ କେଉଁ ପ୍ରାଚୀନକାଳରୁ ବିଭିନ୍ନ ଅଞ୍ଚଳର, ବିଭିନ୍ନ ଜାତିର ଶବ୍ଦ ଆସି ଆମ ଭାଷାରେ ମିଶିଯାଇଛି। ଏ ପ୍ରକାର ଶବ୍ଦଗୁଡ଼ିକୁ ଦେଶଜଶବ୍ଦ କୁହାଯାଏ। ଆହୁରି ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅସଂଖ୍ୟ ଆଞ୍ଚଳିକ ଶବ୍ଦ ରହିଛି। ସେଗୁଡ଼ିକ ଦେଶଜ ଶବ୍ଦ ରୂପେ ଲେଖାପଢ଼ା ପାଇଁ ଅଭିଧାନଭୁକ୍ତ ହେବା ଉଚିତ। ଆମ ଦେଶରୁ ସୃଷ୍ଟ ଓ ଦେଶରେ ପ୍ରଚଳିତ ହେଉଥିବବା ଶବ୍ଦ ଦେଶଜ ଶବ୍ଦ ଶ୍ରେଣୀର। ଯଥା- ଅଝଟ, ଅଗାଡ଼ି, ଖଡ଼ୁ, ଗୋଡ଼/ଗୋଡ଼ି, ଚେର, ଅଖାଡୁଆ, କଣ୍ଢେଇ, ଖାଣ୍ଟି, ଚାଳ, ଛଟକ, ଅଡ଼ା, କାଇ, ଖୋଇ, ଚାଉଳ, ଛପର, ଅଣ୍ଟା, କୁଟା, ଗାଲୁଆ, ଚିରଗୁଣୀ, ଛାଟ, ଅଳିଆ, କୋରଡ଼ା, ଗିନା, ଚୁଆ, ଛାଡ଼ଖାଇ, ଅରୁଆ, ଖଡ଼ୁ, ଗାଡ଼ିଆ, ଚିରୁଡ଼ା, ଛାତି, ଅରା, ଖଙ୍କାର, ଗୋଟମା, ଚିମୁଟା, ଛୁଆ, ଜନ୍ତାଳ, ଡଗର, ଥୋଡ଼, ପିଲା, ମକଚିବା, ଜନ୍ଦା, ଡିବିରି, ଥୋଡ଼ି, ପୁଷି, ମଲାଟ, ଜାଉ, ଡେଙ୍ଗା, ଦାଉ, ପୋକ, ମଳୁ, ଝାଇଁ, ଡେଣା, ଦନ୍ଥରା, ଫରକଟା, ମସିଣା, ଝାମେଲା, ଡେମ୍ଫ, ଦରୋଟି, ଫନ୍ଦା, ମଣୋହି, ଝୁମୁକା, ଢଗ, ଦିଲ, ବଟୁଆ, ସଜନା, ଟାଙ୍କ, ଢମା, ଧଡ଼ି, ବରା, ଶଢ଼ା, ଟାଙ୍ଗିଆ, ଢାଉ, ଧତଡ଼ା(ରା), ବାଡ଼ି, ସଡ଼କ, ଟାପରା, ଢିଙ୍କି, ଧୋତି, ବେଣ୍ଟ, ଶଢ଼େଇ, ଟିପ, ତଳି, ନଟେଇ, ବୋକା, ସଞ୍ଜା, ଟୋକେଇ, ତଟକା, ନଡ଼ା, ବୋଦା, ସିଧା, ଟୋପର, ତଡ଼ପ, ନିଅଁ, ଭକୁଆ, ହାକୁଟି, ଠଣା, ତବଲା, ନିକମା, ଭଣ୍ଡୁର, ହାଡ଼, ଠାକରା, ତାଟି, ନେତ, ଭାଉ, ହାବୁକା, ଠିକା, ତେଣ୍ଟା, ପଇ, ଭାଡ଼ି, ହିଡ଼, ଠୁଙ୍ଗା, ତୋଟା, ପଡ଼ା, ଭେଣ୍ଡା, ହେଟା, ଠୋଲା, ଥକା, ପାଇଟି, ଭେଣ୍ଡି, ହେଣ୍ଡି, ଡଉଲ, ଥନ୍ତଲ, ପାନିଆଁ, ଭାଟି, ହେଁସ।
ବୈଦେଶିକ ଶବ୍ଦ: ଉପର ତିନୋଟି ଶ୍ରେଣୀର ଶବ୍ଦ ବ୍ୟତୀତ ଓଡ଼ିଆ ଭାଷାରେ ଅନେକ ବିଦେଶୀ ଶବ୍ଦ ପ୍ରବେଶ କରିଥିବାର ଦେଖାଯାଏ। ବିଦେଶୀ ଶାସନ, ବୈଦେଶିକ ବାଣିଜ୍ୟ ଓ ଧର୍ମପ୍ରଚାର ମାଧ୍ୟମରେ ଏଇ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ପ୍ରବେଶ କରିଛି। ଦୀର୍ଘକାଳ ଧରି ମୁସଲମାନ, ମୋଗଲ ଓ ଇଂରେଜମାନଙ୍କ ଶାସନ ସଂସ୍ପର୍ଶରେ ଆସି ଓଡ଼ିଆମାନେ ସେମାନଙ୍କର ଭାଷାକୁ ଆପଣେଇ ନେଇଛନ୍ତି। ପୁନଶ୍ଚ ବିଜ୍ଞାନର ଦ୍ରୁତ ଅଗ୍ରଗତି ହେତୁରୁ ନୂତନ ନୂତନ ଆବିଷ୍କାର ଓ ଉଦ୍ଭାବନ ଅହରହ ଚାଲିଛି। ତତ୍ ସମ୍ପର୍କୀୟ ସୃଷ୍ଟ ନୂତନ ଶବ୍ଦାବଳୀ ଆମ ଭାଷାକୁ ପରିପୁଷ୍ଟ କରୁଛି। କେତେକ ବିଶେଷ ପ୍ରଚଳିତ ବୈଦେଶିକ ଶବ୍ଦର ଅବଗତି ନିମିତ୍ତ ଉଦାହରଣ ପ୍ରଦତ୍ତ ହେଲା।
ଆରବୀ ଶବ୍ଦ: ଅକ୍କଲ, କଏଦୀ, ଗରଜ, ତମାମ, ଫସଲ, ସହିଦ୍ /ସହର, ଅସଲ, କବଲା, ଗାଏବ, ତର୍ଜମା, ଫାଇଦା, ସାହେବ, ଅସୁଲ, କରାମତ, ଗାର, ତାସ, ଫଉଜ, ସବାରି, ଅଦାଲତ, କଲିଜା, ଜାମିନ୍, ତହସିଲ, ଫିକର, ସିନ୍ଦୁକ, ଅଚାନକ, କାଇଦା, ଜବାନ, ତହସିଲଦାର, ବରାବର, ସାବୁନ୍, ଅମିନ, କାଏମ, ଜମି, ତାରିଫ୍, ବହି, ସରଞ୍ଜାମ, ଅର୍ଜି, କାନୁନ୍, ଜରିମାନା, ତଲାସ, ବିଲ୍କୁଲ, ସର୍ବତ, ଅମଳ, କବର, ଜମିଦାର, ଦଲିଲ୍, ମସଲା, ସଲାମ, ଆଇନା, କିସମ, ଜାରି, ଦିମାକ୍, ମଉସୁମି, ହଇରାଣ, ଇସାରା, କଦର, ଜୁଲମ, ଦୁନିଆ, ମାମଲା, ହାଜତ, ଇଲାକା, କିତାବ, ଜବତ୍, ଦୋକାନ, ମହଜୁଦ୍, ହାସଲ, ଇସ୍ତଫା, ଖାତିର, ଜହର, ଦଲାଲ, ମାମୁଲି, ହଜମ, ଏତଲା, ଖରାପ, ଜବାବ, ଦଫାଦାର, ମୁବି, ହାରାମ, ଓରଫ, ଖାଲି, ଜମା, ନାଚାର, ମୁଲକ, ହାୱା, ଓଜର, ଖତମ, ତଦାରଖ, ନାରାଜ, ମୌଜା, ହିସାବ, ଓଜନ, ଖାରଜ, ତାମସା, ନଗଦ, ମୁସ୍କିଲ୍, ହାକିମ।
ପାର୍ସୀ ଶବ୍ଦ: ଅଙ୍ଗୁର, ଅନ୍ଦାଜ, ଖାତା, ତରକାରି, ବଗିଚା, ସାଲତମାମି, ଆଜାଦ, ଖପା, ତାରିଖ, ବରଫ, ସନନ୍ଦ, ଆବାଜ, ଗରିବ, ଦରକାର, ବତାସ, ସରହଦ, ଆମଦାନୀ, ଗିରଫ, ଦରଖାସ୍ତ, ବେମାର, ସାଲିସ୍, କବଲା, ଖାନସମା, ତଲାସ, ପେଚ, ସୁପାରିସ୍, କଲମ, ଗୁମାସ୍ତା, ଦରଜି, ବରାବର, ସିରସ୍ତା, କାଗଜ, ଗୁମାନ, ଦାଗୀ, ବେହୋସ୍, ସୁମାରି, କାମିଜ, ଚପରାସୀ, ଦୌଲତ, ମସାଲ, ସୌଦାଗର, କୁରୁତା, ଚଷମା, ନମୁନା, ମସିହା, ହଜାର, କରଜ, ଚାବୁକ, ନରମ, ମାର୍ଫିତ, ହାଜିର, କିସ୍ତି, ଚାଲାକ, ପତ୍ତା, ମୁର୍ଦାର, ହିମତ, କୁସ୍ତି, ଚିକ, ପଲାଉ, ମାଲିକ, ହୁକୁମ, ଖଜଣା, ଜଖମ, ପାଇଖାନା, ରୋଜଗାର, ନାଲିସ, ଖବର, ଜାହାଜ, ପଇସା, ରୁମାଲ, ପରବାନା, ଖାନା, ଜୋର, ପିଆଦା, ଲଗାମ, ପେସ୍କାର।
ତୁର୍କୀ ଶବ୍ଦ: କାବୁ, କୁଲି, କଇଁଚି, ଗାଲିଚା, ଚକମକି, ଚାକୁ, ତୋପ, ବନ୍ଧୁକ, ବାରୁଦ, ବାହାଦୁର, ବେଗମ, ବୁକୁଚା, ମୁଚାଲିକା, ସୁରାକ, କୁର୍ତ୍ତା, ଦାରୋଗା।
ପର୍ତ୍ତୁଗୀଜ ଶବ୍ଦ: ଆଚାର, ଆତ, ଆଲମାରି, ଇସ୍ପାତ, ଇସ୍ତ୍ରୀ, କାଜୁ, କାମିଜ, କୋବି, କିରାଣି, ଗୀର୍ଜା, ଗସ୍ତ, ଚାବି, ପିସ୍ତଲ, ପାଦ୍ରି, ପପେୟା, ତମାଖୁ, ନିଲାମ, ଫିରିଙ୍ଗି, ଫିତା, ବାଲଟି, ବେହେଲା, ବାସନ, ବୋତଲ, ବୋତାମ, ବୋମା, ମିସ୍ତ୍ରି, କଫି, ଗାଙ୍ଗୁଲା, ଫାଲତୁ, ସାୟା।
ଇଂରାଜୀ ଶବ୍ଦ: ଅଡିଟ୍, ଅଡିଟର, ଅର୍ଦ୍ଧଳି, ଅପରେସନ, ଅପିଲ୍, ଇଞ୍ଜିନ୍, ଇଞ୍ଜିନିୟର, ଇନ୍କମ, ଇନ୍ସପେକ୍ଟର, ଚେୟାର, କାର୍, କ୍ଲାସ୍, କାର୍ଡ, କୁପନ, କଙ୍କ୍ରିଟ୍, କେନାଲ, କପ୍, କମ୍ପାନି, କଲେଜ, କମ୍ପାଉଣ୍ଡର, କୋର୍ଟ, କ୍ଲର୍କ, କ୍ଲବ, ଗିଲାସ, ଗୋଦାମ, ଚେୟାର, ଚକୋଲେଟ୍, ଟାଇମ, ଟିକେଟ, ଟେବୁଲ୍, ଟାୟାର, ଟିଉବ, ଟାଉନ, ଟିକସ୍, ଥିଏଟର, ପାଇପ୍, ପାଉଡର, ପିନ୍, ପିଅନ, ପୋଲିସ୍, ପଲସ୍ତରା, ପାଲିସ୍, ପ୍ରେସ, ଫୋନ୍, ଫୁଟବଲ, ଫାଇଲ, ଫାଇନ, ନୋଟିସ୍, ନର୍ସ, ନମ୍ବର, ପେପର, ପେନ୍, ମେସିନ୍, ମିଟର, ମୋଟର, ମିନିଟ୍, ଡାକ୍ତର, ଡଜନ, ଡିଗ୍ରୀ, ଡ୍ରେସ, ଡ୍ରାମା, ଡ୍ରଇଁ, ରେଳବାଇ, ରବର, ରିକ୍ସା, ରେଡିଓ, ବେଞ୍ଚ, ବ୍ୟାଙ୍କ, ବ୍ରସ, ବ୍ୟାଟେରି, ବ୍ୟାଣ୍ଡେଜ୍, ବ୍ଲକ, ମ୍ୟୁନିସିପାଲିଟି, ଷ୍ଟେସନ, ୱାଚ, ୱାଗନ, ରୋଡ୍, ଟିଭି, ପାର୍କ, ମେଡିକାଲ, ସାଇକେଲ, ସାର୍ଟ, ସିଗାରେଟ୍, ସିମେଣ୍ଟ, ସିନେମା, ଷ୍ଟେସନ, ସ୍କୁଲ, ହଷ୍ଟେଲ, ହସ୍ପିଟାଲ, ହୋଟେଲ।
ଏତଦ୍ବ୍ୟତୀତ ଆମ ଭାଷାରେ ଫରାସୀ, ଗ୍ରୀକ୍, ସ୍ପେନୀୟ, ଇତାଲୀୟ, ଓଲନ୍ଦାଜ, ରୁଷୀୟ ଓ ଚୀନା ଆଦି ଶବ୍ଦ ପ୍ରବେଶ କରିଛି।
ବିଭିନ୍ନ ଭାଷାରୁ ଓଡ଼ିଆ ଭାଷାକୁ ଆସିଥିବା ଶବ୍ଦଗୁଡ଼ିକ ମଧ୍ୟରୁ କେତେକର ମୌଳିକ ରୂପରେ, ଉଚ୍ଚାରଣରେ ପରିବର୍ତ୍ତନ ଆସିଛି। ଯଥା- ଡକ୍ଟର-ଡାକ୍ତର, ରେଲୱେ-ରେଳବାଇ, ଡେପୁଟି-ଦିପୋଟି, ଟବାକୋ-ତମାଖୁ ହୋଇଅଛି। ବୈଜ୍ଞାନିକ ଉଦ୍ଭାବନ, ଗମନାଗମନ ଓ ଗଣମାଧ୍ୟମର ଅଗ୍ରଗତି ଫଳରେ ନୂତନ ନୂତନ ଶବ୍ଦ ସୃଷ୍ଟି ହୋଇ ବିଭିନ୍ନ ଭାଷାଭଣ୍ଡାରକୁ ପରିପୁଷ୍ଟ କରୁଅଛି। ପ୍ରୋଟିନ୍, ଭିଟାମିନ୍, ସର୍ଜରି, ଏକ୍ସରେ, ଇଣ୍ଟରନେଟ୍, କମ୍ପ୍ୟୁଟର ଫୋନ୍ ଭଳି ଶବ୍ଦସମୂହ ଓଡ଼ିଆ ଭାଷାର ଅଙ୍ଗୀଭୂତ ହୋଇଅଛି। ଭାଷା ସର୍ବଦା ପରିବର୍ତ୍ତନଶୀଳ। ଶବ୍ଦଭଣ୍ଡାରକୁ ସମୃଦ୍ଧ କରିବାପାଇଁ ନୂତନ ଶବ୍ଦର ଆହରଣ ସର୍ବଥା ବାଞ୍ଛନୀୟ।
ଅନୁଶୀଳନୀ
୧. ଶବ୍ଦ କାହାକୁ କହନ୍ତି ?
୨. ଏକବର୍ଣ୍ଣବିଶିଷ୍ଟ ପାଞ୍ଚଟି ଶବ୍ଦ ଲେଖ।
୩. ଓଡ଼ିଆରେ ବ୍ୟବହୃତ ଶବ୍ଦଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଏ, ସେମାନଙ୍କର ନାମ ଲେଖ।
୪. ତତ୍ସମ ଶବ୍ଦ କାହାକୁ କହନ୍ତି ? ଓଡ଼ିଆରେ ବ୍ୟବହୃତ ଦଶଟି ତତ୍ସମ ଶବ୍ଦର ଉଦାହରଣ ଦିଅ।
୫. ନିମ୍ନଲିଖତ ଶବ୍ଦମାନଙ୍କ ମଧ୍ୟରୁ ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ଶବ୍ଦଗୁଡ଼ିକୁ ବାଛି ସ୍ଵତନ୍ତ୍ର ତାଲିକା କର ।
କମିଟି, ଲଣ୍ଡନ, ବାଳକ, ହାତ, ସାହିତ୍ୟ, ପର୍ବତ, ତରୁ, କାନ, ଚମ, ମୁନ, ପିଲା, ଭୂମି, କଲବଲ, ତଣ୍ଟି, ଦଲିଲ, ଫଏସଲା, ଜାମିନ୍, ହୁକୁମ, ସରହଦ।
୬. ତଳେ ଦିଆଯାଇଥିବା ତଦ୍ଭବ ଶବ୍ଦଗୁଡ଼ିକର ତତ୍ସମ ରୂପ ଲେଖ। ଉଣେଇଶ, ଧାନ, ଗାଈ, ଆଖି, ଭାଲୁ, ନଈ, ପୁଷ, ଜିଭ, ଆଜି, ବାଛୁରୀ, ଥାନ, ଭଅଁର, ଶାକର, ମିଠା, ଗୋରା, କୁମ୍ଭାର, ହାତୀ, ନେଉଳ, ନାଚ।
୭. କେଉଁ କେଉଁ ବୈଦେଶିକ ଭାଷାର ଶବ୍ଦ ଆମ ଭାଷାରେ ବ୍ୟବହୃତ ହେଉଛି। ପ୍ରତ୍ୟେକରୁ ପାଞ୍ଚଟି ଶବ୍ଦର ଉଦାହରଣ ଦିଅ।