ବ୍ୟାକରଣର ପ୍ରୟୋଜନୀୟତା

ଦର୍ଶନ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଇତିହାସ, ପଦାର୍ଥବିଜ୍ଞାନ ଓ ସମାଜତତ୍ତ୍ବ ପରି ବ୍ୟାକରଣ ମଧ୍ଯ ଏକ ଶାସ୍ତ୍ର। ନିର୍ଦ୍ଦିଷ୍ଟ ଶାସ୍ତ୍ର ଅଧ୍ୟୟନଦ୍ୱାରା ତତ୍ସମ୍ବନ୍ଧୀୟ ଜ୍ଞାନ ଉପଲବ୍ଧ ହୋଇଥାଏ। ବ୍ୟାକରଣର ମହତ୍ତ୍ବ ବହୁ ପ୍ରାଚୀନ କାଳରୁ ଉପଲବ୍‌ଧ। ପୃଥିବୀର ବିଭିନ୍ନ ଭାଷାରେ ବ୍ୟାକରଣ ଗ୍ରନ୍ଥ ରଚିତ ହୋଇଛି। ପାଣିନିକୃତ ସଂସ୍କୃତ ଭାଷାର ବ୍ୟାକରଣ ବିଶ୍ଵର ସର୍ବ ପ୍ରାଚୀନ ବ୍ୟାକରଣ ରୂପେ ବିଦ୍ବଜ୍ଜନଙ୍କ ଦ୍ଵାରା ସ୍ଵୀକୃତ। 

ବ୍ୟାକରଣ ହେଉଛି ଭାଷାବିଶ୍ଳେଷକ ଗ୍ରନ୍ଥ। ଶୁଦ୍ଧଭାଷାରେ କହିବା, ଲେଖିବା ଓ ପଢ଼ିବା ପାଇଁ ବ୍ୟାକରଣ ଶାସ୍ତ୍ରର ଅଧ୍ୟୟନ ସର୍ବାଦୌ କର୍ତ୍ତବ୍ୟ। ସମସ୍ତ ଶାସ୍ତ୍ରର ଲେଖାବଳୀର ଶୁଦ୍ଧତା ବ୍ୟାକରଣର ମୌଳିକ ନୀତି ଉପରେ ପର୍ଯ୍ୟବସିତ। କହିବା ଅପେକ୍ଷା ଲିଖନର ଶୁଦ୍ଧତା ଅଧିକ ଗୁରୁତ୍ଵପୂର୍ଣ୍ଣ। କାରଣ, ଅଶୁଦ୍ଧି ଥୁବା ପୁସ୍ତକଟିଏ ପଢ଼ିଲେ ଅଶୁଦ୍ଧିର ପ୍ରୟୋଗ ଅନ୍ୟମାନଙ୍କ ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଏକ ଭାଷା କ୍ରମଶଃ ଦୂଷିତ ଓ ବିଶୃଙ୍ଖଳିତ ହୋଇଯାଏ। ସୁତରାଂ ଭାଷାକୁ ଶୃଙ୍ଖଳାବଦ୍ଧ କରିଥାଏ ବ୍ୟାକରଣ। ଏଣୁ ବ୍ୟାକରଣ ହେଉଛି ଶୁଦ୍ଧଭାଷା ପ୍ରୟୋଗର ବିଦ୍ୟା ବା ଶାସ୍ତ୍ର। 

ପୁନଶ୍ଚ ଶୁଦ୍ଧଲିଖନ ଶୁଦ୍ଧଭାବନା ଉପରେ ପର୍ଯ୍ୟବସିତ। ଭାବନାଚୟକୁ ଶୃଙ୍ଖଳିତ କରିବା ବ୍ୟାକରଣର କାର୍ଯ୍ୟ। ବ୍ୟାକରଣ ନିୟମର ବହିର୍ଭୂତ ଭାଷା ଶୁଦ୍ଧଭାଷା ନୁହେଁ। ବ୍ୟାକରଣର ଶୃଙ୍ଖଳା ମଧ୍ୟରେ ଭାଷା ଆବଦ୍ଧ ନ ହେଲେ ଭାଷାରେ ଯଥେଚ୍ଛାଚାରିତା ବଢ଼ିଯାଏ। ତଦ୍ବାରା ଏକଜାତିର ଭାଷା ମାର୍ଜିତଭାଷା ବା ମାନକଭାଷା ହୋଇପାରିବ ନାହିଁ। ତେଣୁ ଭାଷାଗତ ଐକ୍ୟ ଅଭାବରୁ ଜାତୀୟ ଐକ୍ୟ ବିପନ୍ନ ହୁଏ। 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଞ୍ଚଳିକ ଭାଷାମାନ ରହିଛି; ମାତ୍ର ମାନକଭାଷା ଗୋଟିଏ। ଅର୍ଥାତ୍ କଥ୍ତ ଭାଷାରେ ପାର୍ଥକ୍ୟ ଥିଲେ ମଧ୍ୟ ଲିଖଭାଷା ଏକ। ପୃଥ‌ିବୀରେ ସମସ୍ତ ଲିଖତଭାଷାର ବ୍ୟାକରଣ ରହିଛି। 

ବ୍ୟାକରଣ ଏକ ଆବଦ୍ଧ ସରୋବର ନୁହେଁ; ଏହା ଏକ ପ୍ରବହମାନା ସ୍ରୋତସ୍ଵିନୀ। ଏଥୁରେ ପରିବର୍ତ୍ତନ ଆସିବା ସ୍ଵାଭାବିକ। ଜନସାଧାରଣଙ୍କର ଭାଷା ପ୍ରୟୋଗ ଓ ବ୍ୟବହାରରେ ନୂତନତା ଦେଖାଦେଲେ, ଏହି ପରିବର୍ତ୍ତନ ସମ୍ଭବପର ହୁଏ। ସୁତରାଂ ବ୍ୟାକରଣର ପ୍ରାୟୋଗିକ କ୍ଷେତ୍ର ଯଥୋଚିତ ହେବା ବାଞ୍ଛନୀୟ। 

ଓଡ଼ିଆ ବ୍ୟାକରଣ ଆଜି କେବଳ ସଂସ୍କୃତ ବ୍ୟାକରଣାନୁସାରିଣୀ ନୁହେଁ; ଏଥରେ ମୌଳିକତାର ସ୍ବାକ୍ଷର ମଧ୍ୟ ସୁସ୍ପଷ୍ଟ।

Previous Post Next Post

Contact Form