ଓଡିଆ ଭାଷାର କ୍ରମବିକାଶ

ଭାଷାର ଆବଶ୍ୟକତା :

ଭାବ ପ୍ରକାଶର ମାଧ୍ୟମ ଭାଷା। ଯେଉଁମାନଙ୍କର ଭାଷା ନାହିଁ, ସେମାନେ ମଣିଷ ନୁହନ୍ତି। ଏହି କାରଣରୁ ପୃଥୁବୀରେ ମଣିଷ ହେଉଛି ଭାଗ୍ୟବାନ, କାରଣ ସେ ଭାଷାର ଅଧିକାରୀ। ମାନବେତର ଜୀବ ସେମାନଙ୍କ ଭାବକୁ ବିଭିନ୍ନ ସଙ୍କେତ ବା ଶବ୍ଦ ମାଧ୍ଯମରେ ପ୍ରକାଶ କରୁଥିଲେ ହେଁ ତାହାକୁ ଯଥାର୍ଥରେ ଭାଷା କୁହାଯାଇ ପାରିବ ନାହିଁ। ମଣିଷ ଜୀବନରେ ଦୁଇଟି କାରଣରୁ ଭାଷାର ଉପଯୋଗିତା ରହିଛି। ପ୍ରଥମତଃ ତା’ର ପ୍ରାଥମିକ ଚିନ୍ତାଟି ଭାଷା ମାଧ୍ୟମରେ ସାଧୂତ ହୋଇଥାଏ। ଅର୍ଥାତ୍ ପ୍ରତ୍ୟେକ ମଣିଷ ନିଜ ମାତୃଭାଷାରେ

ପ୍ରଥମେ ଚିନ୍ତା କରିଥାଏ। ଦ୍ଵିତୀୟରେ ସେ ତା’ର ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିବାକୁ ଭାଷାର ସହାୟତା ଗ୍ରହଣ କରିଥାଏ। ତେଣୁ ମଣିଷ ଜୀବନରେ ଭାଷାର ଉପଯୋଗିତା ଯେପରି ଅକଳନୀୟ, ସେହିପରି ତାହାର ଆବଶ୍ୟକତା ମଧ୍ୟ ଅପରିହାର୍ଯ୍ୟ। ପ୍ରତ୍ୟେକ ଭାଷାର ଧ୍ଵନିଗୁଡ଼ିକର ଉଚ୍ଚାରଣ ପଦ୍ଧତି ଭିନ୍ନ। ଏହି ଧ୍ଵନିଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ ନିୟମରେ ସଜ୍ଜିତ ହୋଇ ପ୍ରକାଶିତ ହେଲେ, ତାହା ଭାଷାର ରୂପ ଗ୍ରହଣ କରିଥାଏ।

ଭାଷାର ପରିସର ବ୍ୟାପକ। ଏହା ଏକ ପ୍ରବହମାନ ଧାରା। ପୃଥ‌ିବୀରେ ପ୍ରାୟ ପନ୍ଦର ହଜାରରୁ ଊର୍ଦ୍ଧ୍ବ ଭାଷା ପ୍ରଚଳିତ। ସମୟକ୍ରମେ କିଛି ଭାଷା ମଧ୍ୟ ପୃଥ‌ିବୀ ପୃଷ୍ଠରୁ ଲୋପ ପାଇଯାଇଛି। ପ୍ରତ୍ୟେକ ଭାଷାର କେତେଗୁଡ଼ିଏ ଉପଭାଷା ମଧ୍ୟ ରହିଛି। ଏହି ଉପଭାଷାଗୁଡ଼ିକ ସେହି ମୂଳଭାଷାରୁ ସୃଷ୍ଟ ଏବଂ ତାହା ସେହି ଭାଷାଭାଷୀ ଅଞ୍ଚଳର ସାଧାରଣ ଲୋକଙ୍କ ଦ୍ବାରା ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ଏଥରେ ଆଞ୍ଚଳିକ ପ୍ରୟୋଗର ଆଧ‌ିକ୍ୟ ପରିଲକ୍ଷିତ ହୋଇଥାଏ।

ଓଡ଼ିଆ ଭାଷାର ବିକାଶ କ୍ରମ :

ଭାରତୀୟ ସମ୍ବିଧାନ ସ୍ଵୀକୃତ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଅନ୍ୟତମ। ଓଡ଼ିଆ ଭାଷାର ମୂଳଉତ୍ସ ହେଉଛି ଭାରତୀୟ ଆର୍ଯ୍ୟଭାଷା। ଏହି ଭାରତୀୟ ଆର୍ଯ୍ୟଭାଷା ଇଣ୍ଡୋୟୁରୋପୀୟ ଭାଷା ପରିବାରର ଶତମ ବର୍ଷାନ୍ତର୍ଗତ ଇଣ୍ଡୋ-ଇରାନିଆନ ଆର୍ଯ୍ୟଶାଖାର ଭାରତୀୟ ଆର୍ଯ୍ୟ ଉପଶାଖା। କ୍ରମବିକାଶସ୍ତରରେ ଭାରତୀୟ ଆର୍ଯ୍ୟଭାଷା ତିନୋଟି ସ୍ତର ଦେଇ ଗତିଶୀଳ। ପ୍ରଥମ ସ୍ତର ହେଉଛି ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା (ଖ୍ରୀ:ପୂ: ୧୫୦୦ ରୁ ଖ୍ରୀ:ପୂ: ୫୦୦), ଦ୍ବିତୀୟ ସ୍ତର- ମଧ୍ଯଭାରତୀୟ ଆର୍ଯ୍ୟଭାଷା (ଖ୍ରୀ:ପୂ: ୫୦୦ରୁ ଖ୍ରୀଷ୍ଟୀୟ ୧୦୦୦) ଏବଂ ତୃତୀୟ ସ୍ତର ହେଉଛି ଆଧୁନିକ ଭାରତୀୟ ଆର୍ଯ୍ୟଭାଷା ( ୧୦୦୦ ଖ୍ରୀ: ପରବର୍ତୀ)। ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା ବୈଦିକ ସଂସ୍କୃତ ଓ ଲୌକିକ ସଂସ୍କୃତ ନାମରେ ପରିଚିତ । କଥ୍ତ ସଂସ୍କୃତରୁ ଜନ୍ମ ନେଇଥିଲା, ମଧ୍ୟଭାରତୀୟ ଆର୍ଯ୍ୟଭାଷା। ଏହା ତିନୋଟି ସ୍ତରରେ ବିଭକ୍ତ। ଯଥା-ପ୍ରଥମ ସ୍ତର ପାଲିଭାଷା (ଖ୍ରୀ:ପୂ: ୫୦୦ରୁ ଖ୍ରୀ:ପୂ: ୨୦୦), ଦ୍ବିତୀୟ ସ୍ତର ପ୍ରାକୃତଭାଷା (ଖ୍ରୀ:ପୂ: ୨୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ), ତୃତୀୟ ସ୍ତର- ଅପଭ୍ରଂଶ ଭାଷା (୫୦୦ ଖ୍ରୀ:ରୁ ୧୦୦୦ ଖ୍ରୀ:)। ପ୍ରାକୃତଭାଷା-ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ପୈଶାଚୀ ଓ ଅର୍ଦମାଗଧୀ– ଏହିପରି ପାଞ୍ଚଭାଗରେ ବିଭକ୍ତ। ମାଗଧୀ ପ୍ରାକୃତର ଅନ୍ୟତମ ଶାଖା ପୂର୍ବ-ମାଗଧୀ ଅପଭ୍ରଂଶରୁ ସୃଷ୍ଟି ଲାଭ କରିଛି ଓଡ଼ିଆ ଭାଷା। ପୂର୍ବ- ମାଗଧୀ ଅପଭ୍ରଂଶ ଉତ୍ତର-ପୂର୍ବ ମାଗଧୀ ଓ ଦକ୍ଷିଣ-ପୂର୍ବ ମାଗଧୀ, ଏହିପରି ଦୁଇଭାଗରେ ବିଭକ୍ତ। ବଙ୍ଗାଳୀ ଓ ଆସାମୀ ଭାଷା ହେଉଛି ଉତ୍ତରୀ-ମାଗଧୀ ଅପଭ୍ରଂଶ ଅନ୍ତର୍ଭୁକ୍ତ ଏବଂ ଓଡ଼ିଆ ହେଉଛି ପୂର୍ବ-ମାଗଧୀ ଅପଭ୍ରଂଶ ଅନ୍ତର୍ଭୁକ୍ତ।

ଦକ୍ଷିଣ-ପୂର୍ବ ମାଗଧୀ ଅପଭ୍ରଂଶର ଅନ୍ୟ ନାମ ଔତ୍ରୀ ଅପଭ୍ରଂଶ। ଏହି ଔତ୍ରୀ ଅପଭ୍ରଂଶ ପୂର୍ବ-ମାଗଧୀ ଅପଭ୍ରଂଶର ଏକ ଶାଖା। ଏଥୁରୁ ଆଧୁନିକ ଭାରତୀୟ ଆର୍ଯ୍ୟଭାଷା ଓଡ଼ିଆର ସୃଷ୍ଟି। ଭରତଙ୍କ ନାଟ୍ୟଶାସ୍ତ୍ରରେ ଯେଉଁ ‘ଔତ୍ରୀ ବିଭାଷା’ ସମ୍ପର୍କରେ ଉଲ୍ଲେଖ ରହିଛି, ତାହା ‘ଔତ୍ରୀ ଅପଭ୍ରଂଶ’ର ପୂର୍ବ ରୂପ। ପୂର୍ବ-ମାଗଧୀ ପ୍ରାକୃତର ଅଷ୍ଟ୍ରିକ ଓ ଦ୍ରାବିଡ଼ ଭାଷା ସହିତ ମିଶ୍ରଣରେ ଔତ୍ରୀ ବିଭାଷାର ସୃଷ୍ଟି ବୋଲି ଅନୁମାନ କରାଯାଇଥାଏ। ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ସ୍ଵତନ୍ତ୍ର ରୂପ ନେଇ ବିକାଶ ଲାଭ କରିଥିବାର ସୂଚନା ଚୀନ୍ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରୁ ଜଣାଯାଇଥାଏ। ଉତ୍କଳକୁ ଅତୀତରେ ଓଡ୍ର ଦେଶ ବୋଲି କୁହାଯାଉଥିଲା। ଏହି ଓଡ୍ର ଦେଶର କଥ୍ତ ଭାଷାରେ ସୌରସେନୀ ଏବଂ ଶବର ଭାଷାର ମିଶ୍ରଣ ଯୋଗୁଁ ଔତ୍ରୀ ଅପଭ୍ରଂଶର ସୃଷ୍ଟି। ତେଣୁ ପ୍ରାଚୀନ ଓଡ଼ିଆ ଭାଷା ଭାରତୀୟ ଆର୍ଯ୍ୟ, ଦ୍ରାବିଡ଼, ଅଷ୍ଟ୍ରିକ ଗୋଷ୍ଠୀ ଭାଷାର ଚମତ୍କାର ମିଳନ। ସପ୍ତମ ଶତାବ୍ଦୀ ବେଳକୁ ଏହି ମିଳନ ସଂଘଟିତ ହୋଇସାରିଥିଲା। ଏହି ସମୟ ଓ ପରବର୍ତ୍ତୀ କାଳରେ ଖୋଦିତ ବିଭିନ୍ନ ଶିଳାଲେଖରେ ଓଡ଼ିଆ ଭାଷାର ଅନେକ ଉଦାହରଣ ଦେଖ‌ିବାକୁ ମିଳେ।

ବିଭିନ୍ନ ପ୍ରାଚୀନ ଅଭିଲେଖ, ଯଥା-ମାଧବ ବର୍ମାଙ୍କ ତାମ୍ରଶାସନ, ଅନନ୍ତ ଦେବ ବର୍ମାଙ୍କ ତାମ୍ରଶାସନ, ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଉରଜାମ୍ ଶିଳାଲେଖ, ଭୁବନେଶ୍ୱରରୁ ଆବିଷ୍କୃତ ଦ୍ଵିତୀୟ ନରସିଂହ ଦେବଙ୍କ ଦ୍ଵିଭାଷିକ ଶିଳାଲେଖ, ତ୍ରିମାଳା ମଠସ୍ଥିତ ତାମ୍ରଶାସନ, ଚତୁର୍ଥ ନରସିଂହ ଦେବଙ୍କ ପୁରୀ ଶଙ୍କରାନନ୍ଦ ମଠର ତାମ୍ର ଫଳକ, ଚତୁର୍ଥ ନରସିଂହ ଦେବଙ୍କ ଯାଜପୁରର ସିଦ୍ଧେଶ୍ଵର ମନ୍ଦିରସ୍ଥ ସ୍ତମ୍ଭ ଅଭିଲେଖ ଆଦିରେ ଓଡ଼ିଆ ଭାଷାର ଯେଉଁ ସୂଚନା ମିଳେ, ସେଥୁରୁ ଏହି ଭାଷାର ଏକ କ୍ରମବିକଶିତ ରୂପ ଦେଖୁବାକୁ ମିଳେ।

ସପ୍ତମ/ ଅଷ୍ଟମ ଶତକ ବେଳକୁ ଓଡ଼ିଆ ଭାଷାର ଏକ ବିକଶିତ ରୂପ ପରିଲକ୍ଷିତ ହୋଇଥାଏ। ବିଭିନ୍ନ ଗବେଷକଗଣ ମତ ଦେଇ କହିଥା’ନ୍ତି ଯେ ୮୪ ସିଦ୍ଧାଚାର୍ଯ୍ୟମାନଙ୍କ ମଧ୍ୟରୁ କେତେକ ଥିଲେ ଓଡ଼ିଶାର ଲୋକ। ତେଣୁ ଚର୍ଯ୍ୟାଗୀତିକାଗୁଡ଼ିକରେ ଓଡ଼ିଆ ଭାଷାର ବହୁ ଶବ୍ଦ ପରିଲକ୍ଷିତ ହେବା ସ୍ଵାଭାବିକ। ଅନୁଦିନ, ଅନ୍ତରେ, ଅନ୍ଧାର, ଅବର, ଆଇଲ, ଆଜି, ଉଆସ, ଏଉ, ଏକେଲି, କରିଆ(କରି), କହିଁ(କାହିଁ), କାଅ(କାୟୀ) କାହାରେ, କାହ୍ନୁ, କିସ, କୁଡ଼ିଆ, କେଡ଼ୁଆଳ(କେରୁଆଳ), କୋଇ(କେହି), ଖଟ୍‌ (ଖଟେ),

ଖାଇବ, ଖେଳ, ଗଢ଼ିଲି, ଗାଈ, ବିଗତ (ଗ୍ରୀବାରେ), ଗୁଞ୍ଜରି (ଗୁଞ୍ଜରୀ), କେଲ(ଗଲା), ଘିନି(ଘେନି), ଘୁମଇ, ଘୋରି, ଚଉ(ଚାରି), ଚଉଠ, ଚାଙ୍ଗେଡ଼ା, ଚାରି, ବାହନ୍ତେ, ଚିନ୍ତଇ, ଛାଇଲି, ଛାର, ଜାଗନ୍ତେ, ଜାହେର (ଯାହାର), ଜୀବନ୍ତେ, ଠାକୁର, ତହିଁ, ତୁଟଇ, ତୁଲୋ, ତେନ୍ତୁଳି, ତୋହରି, ବାରୀ, ଦେଉ, ଦେଖଇ, ଧାମ, ନଣନ୍ଦ, ନାଚ, ପାବତ(ପର୍ବତ), ପୁଚ୍ଛଇ, ଫିଟେଲି(ଫିଟିଲା), ବଖାଣି, ବଡ଼ିଆ(ବଡ଼ି), ବିଟାଳ, ବିଳସଇ, ବୁଡ଼ନ୍ତେ, ବୋଲଇ, ଭଣଇ, ଭୋଳା, ମରଇ, ମୋର, ମୋରଙ୍ଗୀ (ମୟୂରାଙ୍ଗୀ), ଲାଙ୍ଗ(ଲଙ୍ଗଳା), ଶାଖି, ଶୁଣ୍ଡିଣୀ, ହାଣ୍ଡି, ହୋଇ, ହୋଇବ ଆଦି ବହୁ ଓଡ଼ିଆ ଶବ୍ଦ ଚର୍ଯ୍ୟାଗୀତିକାଗୁଡ଼ିକରେ ଉପଲବ୍‌ଧ ହେଉଥ‌ିବାରୁ ଏତେବେଳକୁ ଓଡ଼ିଆ ଭାଷା ଏହି ନିରାପଦ ସ୍ଥିତିରେ ପହଞ୍ଚିଥିବା ଅନୁମାନ କରାଯାଇପାରେ। କେତୋଟି ଉଦାହରଣରୁ ଏହା ଅଧିକ ସ୍ପଷ୍ଟ ହୋଇପାରିବ

ଯଥା-

  • କାଆ ତରୁବର ପଞ୍ଚ ବି ଡାଳ
    ଚଞ୍ଚଳ ଚୀଏ ପଇଠା କାଳ
    ଦିଢ଼ କରିଅ ମହାସୁଖ ପରିମାଣ
    ଲୁଇ ଭଣଇ ଗୁରୁ ପୁଚ୍ଛଅ ଜାଣ (ଲୁଇପାଦ)
  • ନାନା ତରୁବର ମେଳିଲରେ ଗଅଣତ ଲାଗେଲୀ ଡାଳୀ
    ଏକେଲୀ ଶବରୀ ଏ ବଣ ହିଣ୍ଡଇ କର୍ଣ୍ଣ କୁଣ୍ଡଳ ବଜ୍ରଧାରୀ
    ଜିଓ ଧାଉ ଖାଟ ପାଡ଼ିଲା ସବରେ ମହାସୁଖେ ସେଜ ଛାଇଲୀ
    ସବରେ ଭୁଜଙ୍ଗ ନୈରାମଣୀ ଦାରୀ ପେମୂହ ରାତି ପୋହାଇଲୀ (ଶବରୀ ପାଦ)
  • ନଗର ବାହିରିରେ ଡୋମ୍ବି ତୋହରି କୁଡ଼ିଆ
    ଛାଇ ଛାଇ ଜାଇ ସୋ ବ୍ରାହ୍ମଣ ନାଡ଼ିଆ
    ଆଲୋ ଡୋମ୍ବି ତୋଏ ସମ କରିବୋ ମୋ ସଙ୍ଗ
    ନିଘନ କାହ୍ନୁକାପାଳି ଜୋଇ ଲାଙ୍ଗ (କାହ୍ନୁପାଦ)

ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଭାଷାର ସ୍ବରୂପ :

ଓଡ଼ିଆ ଭାଷାର ଅରୁଣୋଦୟ କାଳରେ ସାରଳାଦାସ ତାକୁ ପ୍ରଦାନ କଲେ ଏକ ବିରାଟ ଭିତ୍ତିଭୂମି। ତାଙ୍କ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଦିରେ ଖାଣ୍ଟି ଓଡ଼ିଆ ଭାଷା ତା’ର ଆଭିଜାତ୍ୟ ଫେରିପାଇଲା। ସେ ଭାଷାକୁ ଦେଲେ ନୂଆ ରୂପ। ତାଙ୍କ ବିରାଟ ମହାଭାରତରେ ଗୋଟିଏ ଜାତିର ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ଜୀବନ ପରିସ୍ଫୁଟ ହୋଇଉଠିଲା। ଲୋକକଥୁତ ଭାଷା ସାହିତ୍ୟିକ ମର୍ଯ୍ୟାଦା ଲାଭ କଲା ସାରଳା ଦାସଙ୍କ କୃତିରେ। ଓଡ଼ିଶାର ଜାତୀୟ ଜୀବନକୁ ସଙ୍ଗଠିତ, ସୁଦୃଢ଼ ଓ ସ୍ଵାଭିମାନୀ କରିବା କ୍ଷେତ୍ରରେ ରାଜା କପିଳେନ୍ଦ୍ର ଦେବଙ୍କ ଭୂମିକା ଯାହା, ଭାଷା ଓ ସାହିତ୍ୟକୁ ସମୃଦ୍ଧ, ମର୍ଯ୍ୟାଦାବନ୍ତ ଓ ସୌକୁମାର୍ଯ୍ୟ ପ୍ରଦାନ କରିବା କ୍ଷେତ୍ରରେ ସାରଳାଦାସଙ୍କ ଭୂମିକା ଥିଲା ଠିକ୍ ସେଇଆ। ଜଣେ ଥିଲେ ଦେଶର ରାଜା; ଅନ୍ୟ ଜଣେ ଥିଲେ ଭାଷାର ରାଜା। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ପ୍ରତ୍ୟେକଟି ବିଭାବ ସାରଳାଙ୍କ ଉଚ୍ଚମାନର କୃତିରେ ଋଦ୍ଧିମନ୍ତ।

ଚର୍ଯ୍ୟାଗୀତିକା ପରେ ଅମରକୋଷ ଓ ବତ୍ସଦାସଙ୍କ କଳସା ଚଉତିଶାକୁ ଛାଡ଼ିଦେଲେ ଆଉ ବିଶେଷ କିଛି ସାହିତ୍ୟିକ କୃତି ପରିଲକ୍ଷିତ ହୁଏ ନାହିଁ, କେବଳ ସାରଳା ଦାସଙ୍କ ବିରାଟ ସୃଷ୍ଟି ବ୍ୟତୀତ। ପଞ୍ଚଦଶ ଶତକ ବେଳକୁ ଓଡ଼ିଆ ଭାଷା ଓ ଲିପି ପ୍ରତିଷ୍ଠିତ ହୋଇସାରିଥିବା ବିଷୟ ସାରଳାଦାସଙ୍କ ମହାଭାରତରେ ଦେଖାଯାଏ। ସାନ୍ଦୀପନୀ ଋଷିଙ୍କ ନିକଟରୁ ଶ୍ରୀକୃଷ୍ଣ ବିଦ୍ୟାଶିକ୍ଷା ସମୟରେ ସାରଳାଦାସ ସେ ସମୟରେ ପ୍ରଚଳିତ ବିଭିନ୍ନ ଭାରତୀୟ ଭାଷା ଓ ଲିପି ସମ୍ପର୍କରେ ସୂଚନା ଦେବା ପର୍ଯ୍ୟାୟରେ ଓଡ଼ିଆ ଭାଷା ଓ ଲିପିର ନାମୋଲ୍ଲେଖ କରିଛନ୍ତି-

ଓଡ଼ିଆ ତେଲଙ୍ଗା ଯେ ନାଗେରୀ ଦକ୍ଷିଣୀ
କନାଉଜ ଆହରଣ ଗଉଡ଼ୀ ଆଚକ୍ରାୟଣୀ।

ସାରଳାଦାସଙ୍କ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଦି ପ୍ରାଚୀନ ଓଡ଼ିଆ ଭାଷାର ଏକ ଏକ ବିରାଟ ଶବ୍ଦ ବିଭବ, ଯାହାର ପ୍ରାକୃତ ଓ ଅପଭ୍ରଂଶ ଭାଷା ସହିତ ଏକ ନିଗୂଢ଼ ସମ୍ପର୍କ ରହିଛି । ଦେଶଜ ଶବ୍ଦକୁ ସାହିତ୍ୟିକ ମର୍ଯ୍ୟାଦା ଦେଇ ସାରଳାଦାସ ଜାତିପାଇଁ ଏକ ବିରାଟ କାର୍ଯ୍ୟ ସମ୍ପାଦନ କରିଯାଇଛନ୍ତି। ସେହିପରି ପ୍ରାଚୀନ ଓଡ଼ିଆ ଦେଶଜ ଶବ୍ଦଗୁଡ଼ିକ ମଧ୍ୟରୁ ନିମ୍ନରେ ଅଳ୍ପ କେତୋଟିର ଉଦାହରଣ ପ୍ରଦତ୍ତ କରାଗଲା, ଯଥା-ଅଏଁଳା, ଅଘୋର(ଘୋର), ଅତିଅନ୍ତ, ଅନର୍ଯାପ (ଅପର୍ଯ୍ୟାପ୍ତ), ଅନୁପାଶ, ଅମିୟ, ଅରିଷ୍ଟି, ଆଗିଆଣୀ (ଆଗ୍ରହୀ), ଆବର, ଆରେକ, ଆଷ୍ୟ (ଆୟୁଷ), ଉଭା, ଏସନ, ଓଡ଼ଣି, କଟାଳ, କର୍ପୂର, କରତାର, କପଟି, କେବଣ, ଗାଜଇ( ଗର୍ଜଇ), ଘରଣୀ, ଘାଟୋଇ, ଛଡ଼ା (ମାଈ ବାଛୁରୀ), ଝାଟୁଆ (ଛାଞ୍ଚୁଣୀ), ଝାସ, ଠାକୁର, ତଡ଼ତି (ତଡ଼ିତ୍), ତିମ, ତମ, ଥାଠ (ଥାଟ), ଦାରୋଗୀ (ଦାରା), ଦୁତିଅ, ଦୁଲଣି, ନାରାଜ(ନାରାଚ), ପାଦାନ୍ତି (ପଦାତିକ), ପ୍ରାକର୍ମ (ପରାକ୍ରମ), ବରଜାତି(ବରଯାତ୍ରୀ), ବହଣି(ଭଗିନୀ), ବିନୋଇ (ବିନୟୀ), ବେଭଳ(ବିହ୍ବଲଳ), ବ୍ରତମାନ(ବର୍ତ୍ତମାନ), ଭରସା, ଭୋଗ, ମାଧେବ, ମେଣ୍ଟ, ଯାଠି (ଯଷ୍ଟି), ଶୟନ (ସକଳ), ସଂଗୀତ (ସଗୋତ୍ର), ସାଦ୍ରିଶ (ସାଦୃଶ), ସ୍ନାହାନ (ସ୍ନାନ), ହେଳେ (ହେଳା), ହୋ ଇତ୍ୟାଦି। ସୁନ୍ଦର ସୁନ୍ଦର ଯୁଗ୍ମ ଶବ୍ଦ ଓ ଆଳଙ୍କାରିକ ଶବ୍ଦର ଅଭାବ ନାହିଁ ସାରଳାଙ୍କ ସୃଷ୍ଟିରେ। ଯେପରି ବଜ୍ରଣ ନିର୍ବାଣ, ଅନିର୍ଯାପ ଲେଖନ, ଜଗଜନ-ମୋହିନୀ, ନିକଳଙ୍କ ନିଶାପତି, ଆଣ୍ଠୁଆଣି ପାଣି, ଲହଲହ ଜିହ୍ନା, ଗହ ଗହ ହସ, କୁଚକୁମ୍ଭ, ସୁଗନ୍ଧେ ମଧୁକର ବନ୍ଦୀ, ଧରାଧରି, ପଡ଼ାପଡ଼ି, ତର୍ଜନ୍ତି ଗର୍ଜନ୍ତି, ଘୃତ ସଂଯୋଗରେ ଯେହ୍ନେ ବହ୍ନି ବିକରାଳ, ଶରୀର ଦିଶିଲା ଯେ କିଂଶୁକ ପୁଷ୍ପ ପ୍ରାୟେ, କଣୟ ପର୍ବତେ କି ଦିଶେ ମେଘମାଳା ଇତ୍ୟାଦି ବହୁ ଆଳଙ୍କାରିକ ଓଡ଼ିଆ ଶବ୍ଦ ବିଭବକୁ ସାରଳାଦାସଙ୍କ ମହାଭାରତ ଓ ଅନ୍ୟାନ୍ୟ ରଚନାରେ ଅନୁସନ୍ଧାନ କରାଯାଇପାରେ।

ଷୋଡ଼ଶ ଶତକର ଓଡ଼ିଆ ଭାଷା :

ସାରଳାଦାସ ଓଡ଼ିଆ ଭାଷା ଓ ସାହିତ୍ୟକୁ ଯେଉଁ ବିଶାଳ ଭିତ୍ତିଭୂମି ପ୍ରଦାନ କଲେ ପରବର୍ତ୍ତୀ କାଳରେ ଷୋଡ଼ଶ ଶତକରେ ପଞ୍ଚସଖା ସ୍ରଷ୍ଟାଗଣ, ତା’ ଉପରେ ନିର୍ମାଣ କଲେ ଭାଷା ଓ ସାହିତ୍ୟର ବିରାଟ ହର୍ଯ୍ୟ। ବଳରାମ ଦାସଙ୍କ ରାମାୟଣ ଓ ଅନ୍ୟାନ୍ୟ ରଚନା, ଜଗନ୍ନାଥ ଦାସଙ୍କ ଭାଗବତ ଓ ଅନ୍ୟାନ୍ୟ ରଚନା, ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ ଏବଂ ଅନ୍ୟାନ୍ୟ ରଚନା ତଥା ଅନନ୍ତ ଦାସ ଓ ଯଶୋବନ୍ତ ଦାସଙ୍କ ବିଭିନ୍ନ ରଚନାବଳୀ ଓଡ଼ିଆ ଭାଷା ଏବଂ ସାହିତ୍ୟର ଗୋଟିଏ ଗୋଟିଏ ମହାର୍ଘ ରତ୍ନ। ବଳରାମ ଦାସ ସାରଳାଦାସଙ୍କ ପରି ରାମାୟଣରେ ଓଡ଼ିଶାର ନଦ-ନଦୀ, ପର୍ବତ ପ୍ରଭୃତି ବିଭିନ୍ନ ସ୍ଥାନର ବର୍ଣ୍ଣନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ସମାଜ ଓ ସଂସ୍କୃତିକୁ ଯଥାସମ୍ଭବ ପ୍ରତିଫଳିତ କରିବାକୁ ଚାହିଁଛନ୍ତି। ଜଗନ୍ନାଥ ଦାସଙ୍କ ଭାଗବତର ଲାଳିତ୍ୟ, ଅପୂର୍ବ ଛନ୍ଦଯୋଜନା ଓ ଭକ୍ତିଭାବନା ଓଡ଼ିଶାର ପୁରପଲ୍ଲୀରେ ଏତେଦୂର ଆଦୃତ ହୋଇଥିଲା ଯେ, ଷୋଡ଼ଶ ଶତକର ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ଭାଗବତ ଟୁଙ୍ଗି ଗଢ଼ିଉଠିଥିଲା। ଏହି ସମୟରେ ଓଡ଼ିଆ ପଦ୍ୟ ଓ ଗଦ୍ୟର ପର୍ଯ୍ୟାପ୍ତ ବିକାଶ ସାଧୂତ ହୋଇଥିଲା। ଜଗନ୍ନାଥ ଦାସ ପ୍ରାକୃତ ଭାଷାରେ ଭାଗବତ ରଚନା କରିଥିବା କଥା ବାରମ୍ବାର ଉଲ୍ଲେଖ କରିଛନ୍ତି-

ପ୍ରାକୃତ ବନ୍ଧୁ ଭାଗବତ । କହଇ ଦାସ ଜଗନ୍ନାଥ ||
ସେକଥା ପ୍ରାକୃତେ ପ୍ରକାଶ । ଆରମ୍ଭେ ଜଗନ୍ନାଥ ଦାସ |

ଭାଗବତରେ ତମ୍, ତଦ୍‌ଭବ ଏବଂ ଦେଶଜ ଶବ୍ଦର ଚମତ୍କାର ସମ୍ମିଶ୍ରଣ ଘଟିଛି। ଭାଗବତରୁ କେତୋଟି ଶବ୍ଦ ଏଠାରେ ଉଲ୍ଲେଖ କରାଯାଇପାରେ- ଅଡ଼ା(ଅନିଷ୍ଟ), ଆଈ, ଆଡ଼ ତିଆ (ନିୟୋଗୀବିଶେଷ), ଓଡ଼ିଆଣୀ (ଅଳଙ୍କାରବିଶେଷ), କାଛେ(ନିକଟରେ), ଗୋଈ(ଗୋପୀ), ଘଟ(ଦେହ), ଜମାଳି(ପରିହାସ), ଗପ(ପୀଡ଼ା), ନିଉଛାଳି (ପୂଜା), ଧାତିକାରେ (ଶୀଘ୍ର), ପଥୁକି (ପଥକ), ପାଣ୍ଡେଇ(ଜୋତା), ପାୟ (ପାଦ), ପିଅର(ପିତା), ବଳୀୟାର, ବହନ(ଶୀକା), ବହେଣୀ (ଭଉଣୀ), ବାଳୁତ, ମଡ଼ିଛି (ମୃତବତ୍ସା), ରାଢ଼ (କୃପଣ), ଶୟନ (ସଂସାର), ସଧ (ଶ୍ରଦ୍ଧା), ହାଦେ (ଶୀଘ୍ର), ହିଆ ଇତ୍ୟାଦି।

ବଳାମ ଦାସଙ୍କ ଦାଣ୍ଡି ରାମାୟଣରେ କିଛି ତତ୍ସମ ଶବ୍ଦ ଓ ବହୁପରିମାଣରେ ତଦ୍‌ଭବ ଏବଂ ଦେଶଜ ଶବ୍ଦର ବ୍ୟବହାର ପରିଲକ୍ଷିତ। ହୋଇଥାଏ। ଯଥା-ବ୍ରାହ୍ମଣ, ତନୟ, ସର୍ବକାର୍ଯ୍ୟ, ସୁଜ୍ଞ, ସୁଜନ, ସମ୍ପୁର୍ଣ, ଜଗନ୍ମୋହନ ଇତ୍ୟାଦି ତତ୍ସମ ଶବ୍ଦ; ଦ୍ରପଣ (ଦର୍ପଣ), ସାହେର (ସାଗର), ଅଟ୍ଟାଳି (ଅଟ୍ଟାଳିକା), ନିର୍ଭାଇ (ନିର୍ବାହ), ବହେଣୀ, ମୁଣୋହି, ବଖାଣ (ବ୍ୟାଖ୍ୟାନ), ଖମ୍ବ (ସ୍ତମ୍ଭ), ମୂରତି (ମୂର୍ତ୍ତି), ସ୍ନାହାନ, ରହୁବର (ରଥବର), ପଦାନ୍ତି, ପଡ଼ିହାରୀ (ପ୍ରତିହାରୀ), ମୁକୁତା (ମୁକ୍ତା) ଆଦି ତଦ୍ଭବ ଶବ୍ଦ ଏବଂ ଗୁଳଗୁଞ୍ଜା, ଖୋରା, କତି, ଏଣେ, ଉଲୁଣି, ତେଣୁକି, ଠାବ, ହୁଳହୁଳି, ଖୋରା ଆଦି ଦେଶଜ ଶବ୍ଦ ଦେଖାଯାଏ। ଏତଦ୍‌ବ୍ୟତୀତ, ମାଦଳାପାଞ୍ଜି, ରୁଦ୍ରସୁଧାନିଧ୍ଵ ଆଦିର ଗଦ୍ୟଭାଷା ଓଡ଼ିଆ ଭାଷାକୁ ଦେଇଛି ଗୋଟିଏ ନୂଆ ରୂପ ।

ମଧ୍ୟଯୁଗୀୟ ସାହିତ୍ୟ :

ସପ୍ତଦଶ ଶତକର ଆଦ୍ୟପାଦରୁ ଊନବିଂଶ ଶତକର ଆଦ୍ୟପାଦ ପର୍ଯ୍ୟନ୍ତ ସମୟ ସାଧାରଣତଃ ଓଡ଼ିଆ ସାହିତ୍ୟରେ ରୀତିଯୁଗ ବା ମଧ୍ୟଯୁଗ ଭାବରେ ପରିଚିତ। ଏହି ସମୟରେ କବିଗଣ ସଂସ୍କୃତ ସାହିତ୍ୟକୁ ଆଦର୍ଶ ରୂପେ ରଖୁ ସାହିତ୍ୟ ରଚନାରେ ପ୍ରବୃତ୍ତ ହୋଇଥିବାରୁ ତତ୍‌ସମ ଭାଷାର ପ୍ରଭାବ ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ। ପୁଣି ସଂସ୍କୃତ ଅଳଙ୍କାର ଶାସ୍ତ୍ରଗୁଡ଼ିକର ନିୟମ କାନୁନ୍‌କୁ ଅଧିକାଂଶ କ୍ଷେତ୍ରରେ ଅନୁସରଣ କରାଯାଇଥିବାରୁ ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟର ଅବାଧ ପ୍ରବାହ ଓଡ଼ିଆ ରୀତିସାହିତ୍ୟକୁ ସମୃଦ୍ଧ କରିବାରେ ସହାୟତା କରିଛି। ରସ, ରୀତି, ଗୁଣ, ଧ୍ବନି, ବକ୍ରୋକ୍ତି, ଔଚିତ୍ୟ, ଅଳଙ୍କାର ଆଦିର ପ୍ରୟୋଗ ଯୋଗୁଁ ଦେଶଜଭାଷା ଧୀରେ ଧୀରେ ଦୂରେଇ ଯାଇଛି ସାହିତ୍ୟରୁ। ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ବହୁଳ ପ୍ରୟୋଗ ସଂସାଧୃତ ହୋଇଛି। ସଂସ୍କୃତ ପ୍ରତିସ୍ପର୍ଶୀ ସାହିତ୍ୟ ରଚନା କରିବା ପାଇଁ ପ୍ରବଣତା ପ୍ରକାଶ ପାଇଛି କବିମାନଙ୍କ ମଧ୍ୟରେ। ଏହାସତ୍ତ୍ବେ ଅନେକ ଗୀତିକବିତା ଏହି ସମୟରେ ସୃଷ୍ଟି ହୋଇଥିବାରୁ ସରଳ ଓ ତରଳ ଭାଷା ସମ୍ପୂର୍ଣ ଅପାଂକ୍ତେୟ ହୋଇପଡ଼ିନାହିଁ। ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ବ୍ରଜନାଥ ବଡ଼ଜେନା, କବିସୂର୍ଯ୍ୟ ବଳଦେବ ରଥ, ଅଭିମନ୍ୟୁ ସାମନ୍ତସିଂହାର, ବନମାଳୀ, ଗୋପାଳକୃଷ୍ଣ ଆଦି ବହୁ କବି ଏହି ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ସାଂଗୀତିକତା ସାହିତ୍ୟର ଅନ୍ତଃସୌନ୍ଦର୍ଯ୍ୟ ବୃଦ୍ଧି କରିପାରିଛି। ବିଭିନ୍ନ ଛନ୍ଦର ପ୍ରୟୋଗ ଯୋଗୁଁ କାବ୍ୟ ହୋଇଛି ରାଗରାଗିଣୀଯୁକ୍ତ। ଏହାର ସାଙ୍ଗୀତିକ ଗୁଣ ବୌଦ୍ଧିକ ପାଠକଠାରୁ ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧିପାରିଛି। ବିଭିନ୍ନ ଅକ୍ଷର ନିୟମକୁ ଆଖରେ ରଖୁ ବିଭିନ୍ନ ଚଉତିଶା, ଚଉପଦୀ, ଛାନ୍ଦ ଇତ୍ୟାଦି ରଚନା କରାଯାଇଛି। ତତ୍ସମ, ତଦ୍‌ଭବ, ଦେଶଜ ଓ କେତେକ ଯାବନିକ ତଥା ବୈଦେଶିକ ଶବ୍ଦର ବ୍ୟବହାର ଏହି ସମୟର ସାହିତ୍ୟର ଶବ୍ଦଭଣ୍ଡାରକୁ ସମୃଦ୍ଧ କରିପାରିଛି।

ଆଧୁନିକ ଯୁଗ :

୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ସେମାନେ ଏ ଦେଶରେ ନିଜ ଭାଷାର ପ୍ରସାର ନିମିତ୍ତ ଉଦ୍ୟମ ଆରମ୍ଭ କଲେ। ପ୍ରଥମ ପର୍ଯ୍ୟାୟରେ ଏ କ୍ଷେତ୍ରରେ ବିଫଳ ହେବାରୁ ସେ ଇଂରାଜୀ ଭାଷାକୁ ସରକାରୀ ଚାକିରିର ମାଧ୍ୟମ ରୂପେ ଗ୍ରହଣ କଲେ। ୧୮୩୫ ମସିହାରେ ଲର୍ଡ ମାକଲେଙ୍କ ନୂତନ ଶିକ୍ଷାନୀତି ଓ ପରେ ପରେ ଲର୍ଡ ହାର୍ଡିଞ୍ଜଙ୍କ ଶିକ୍ଷାନୀତିର ପ୍ରଣୟନ ଯୋଗୁଁ ଧୀରେ ଧୀରେ ପାଶ୍ଚାତ୍ୟ ଶିକ୍ଷାପ୍ରତି ଓଡ଼ିଆମାନଙ୍କ ମନରେ ଅନୁରାଗ ସୃଷ୍ଟି ହେଲା। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଦେଶୀ ଭାଷା ଭାବରେ କିଛି ପାରସିକ, ଆରବିକ, ତୁର୍କ ଓ ପର୍ତ୍ତୁଗୀଜ ଶବ୍ଦ ଓଡ଼ିଆ ସାହିତ୍ୟରେ ପ୍ରବେଶ କରିଥିଲା; ମାତ୍ର ଊନବିଂଶ ଶତକର ମଧ୍ୟଭାଗରୁ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ସାହିତ୍ୟ ରାଜ୍ୟରେ ପରିଲକ୍ଷିତ ହେଲା। ଇଂରାଜୀ ଶବ୍ଦର ବହୁଳତା ରହିଥିଲେ ହେଁ ଫରାସୀ, ଓଲନ୍ଦାଜ, ଗ୍ରୀକ୍, ଜର୍ମାନ, ଲାଟିନ୍, ସ୍ପେନୀୟ, ଇତାଲୀୟ, ଋଷୀୟ, ଜାପାନୀ, ତିବ୍ଦତୀୟ ଆଦି ଭାଷାର କିଛି ଶବ୍ଦ ଓଡ଼ିଆ ଭାଷାର ଶବ୍ଦଭଣ୍ଡାରକୁ ପ୍ରବେଶ ଲାଭ କରିବାର ସୁଯୋଗ ପାଇଛି। ଏଣୁ ଓଡ଼ିଆ ଭାଷାର ଶବ୍ଦଭଣ୍ଡାର ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟର ବିପୁଳ ଐଶ୍ଵର୍ଯ୍ୟ ପରିଲକ୍ଷିତ ହୋଇଛି। ରାଧାନାଥ, ଫକିରମୋହନ, ନନ୍ଦକିଶୋର, ମଧୁସୂଦନ, ଗଙ୍ଗାଧର ଆଦି ଯେଉଁ ନୂତନ ସାହିତ୍ୟର ଧାରା ସୃଷ୍ଟି କଲେ ସତ୍ୟବାଦୀର ସାଧକ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ ତାହାକୁ ଅଧିକ ସମୃଦ୍ଧ କରିପାରିଲେ ପରବର୍ତୀ ସମୟରେ କାଳିନ୍ଦୀଚରଣ, ଅନ୍ନଦାଶଙ୍କର, ବୈକୁଣ୍ଠନାଥ, ଶରତ୍ନଚନ୍ଦ୍ର, ହରିହର, ରାମପ୍ରସାଦ, ଭଗବତୀ ଚରଣ ପାଣିଗ୍ରାହୀ, ଅନନ୍ତ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ ଆଦି ସାଧକଗଣଙ୍କ ପ୍ରଚେଷ୍ଟାରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଘଟିଲା। ଗଛ, ଉପନ୍ୟାସ, କବିତା, ନାଟକ, ପ୍ରବନ୍ଧ, ଭ୍ରମଣ ସାହିତ୍ୟ, ଜୀବନୀ-ସାହିତ୍ୟ, ଶିଶୁସାହିତ୍ୟ ଆଦି ପ୍ରଚୁର ପରିମାଣରେ ରଚନା ହେବାଯୋଗୁଁ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେଲା। ବିଭିନ୍ନ ଭାଷାର ଶବ୍ଦ ଓଡ଼ିଆ ଭାଷାରେ ଗୃହୀତ ହେବାରୁ ଏହାର ଶବ୍ଦଭଣ୍ଡାର ମଧ୍ୟ ବୃଦ୍ଧି ପାଇଲା। ଭାଷାଆନ୍ଦୋଳନ, ସ୍ଵତନ୍ତ୍ର ପ୍ରଦେଶ ଆନ୍ଦୋଳନ ଯୋଗୁଁ ଓଡ଼ିଆମାନଙ୍କର ସ୍ଵାଭିମାନ ଅନ୍ୟମାନଙ୍କ ଦ୍ଵାରା ସ୍ଵୀକୃତି ଲାଭ କଲା। ଏହାଦ୍ଵାରା ଉଭୟ ଭାଷା ଓ ସାହିତ୍ୟର ଯେ ବିକାଶ ସାଧ୍ଵତ ହୋଇଛି, ଅସ୍ଵୀକାର କରାଯାଇ ନ ପାରେ।

ଓଡ଼ିଆ ଲିପି :

ଉଚ୍ଚାରିତ ଧ୍ଵନିକୁ ଯିଏ ରୂପାୟିତ କରେ, ତାହାକୁ ଲିପି କୁହାଯାଇଥାଏ। ଗବେଷକ ମାନଙ୍କ ମତରେ ଚିତ୍ରଲିପି ହେଉଛି ଲିପିର ପ୍ରାଥମିକ ରୂପ। ଭାରତବର୍ଷରେ ଆବିଷ୍କୃତ ହୋଇଥିବା ଲିପିମାନଙ୍କ ମଧ୍ୟରେ ସୈନ୍ଧବ ଲିପି ହେଉଛି ପ୍ରାଚୀନତମ; ମାତ୍ର ପଠିତବ୍ୟ ଲିପିମାନଙ୍କ ମଧ୍ୟରେ ପ୍ରାଚୀନ ବ୍ରାହ୍ମୀଲିପି ହେଉଛି ସର୍ବପ୍ରଥମ। ସାଧାରଣତଃ ଲିପି ବିଶେଷଜ୍ଞଙ୍କ ମତରେ ଭାରତବର୍ଷରେ ଖରୋଷ୍ଟୀ ଓ ବ୍ରାହ୍ମୀଲିପି- ଏହିପରି ଦୁଇଟି ଲିପି ପ୍ରଚଳିତ ଥିଲା। ବର୍ତ୍ତମାନ ଆଧୁନିକ ଭାରତୀୟ ଆର୍ଯ୍ୟଭାଷାମାନଙ୍କ ପାଇଁ ଯେଉଁ ସମସ୍ତ ଲିପି ବ୍ୟବହୃତ, ତାହାର ମୂଳ ହେଉଛି ବ୍ରାହ୍ମୀଲିପି। ଅନ୍ୟାନ୍ୟ ଭାରତୀୟ ଲିପିମାନଙ୍କ ପରି ଓଡ଼ିଆଲିପି ବ୍ରାହ୍ମୀଲିପିର କ୍ରମ ବିବର୍ତ୍ତନ ଫଳରେ ଜନ୍ମ ହୋଇଛି।

ଲିପି ବିଶେଷଜ୍ଞମାନଙ୍କ ମତରେ ବ୍ରାହ୍ମୀଲିପି ବିଭିନ୍ନ ସ୍ତର ଦେଇ ଗତି କରିଆସିଛି। ପ୍ରଥମ ସ୍ତର ହେଉଛି ପ୍ରାଚୀନ ବ୍ରାହ୍ମୀଲିପି (ଖ୍ରୀ.ପୂ. ୫ମ ଶତାବ୍ଦୀରୁ ଖ୍ରୀ:ପୂ: ୨ୟ ଶତାବ୍ଦୀ) ଅଶୋକଙ୍କ ଅନୁଶାସନ ଏହି ଲିପିରେ ଖୋଦିତ। ଧଉଳି ଓ ଜଉଗଡ଼ର ଧର୍ମାନୁଶାସନ ଗୁଡ଼ିକରେ ଏହି ଲିପି ବ୍ୟବହୃତ। ପରବର୍ତ୍ତୀ ବ୍ରାହ୍ମୀଲିପିର ସମୟ ହେଉଛି ଖ୍ରୀ:ପୂ: ୧ମ ଶତାବ୍ଦୀରୁ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ। ଅଞ୍ଚଳ ଭେଦରେ ପ୍ରାଚୀନ ବ୍ରାହ୍ମୀଲିପିରେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଗଲା। ମୁଖ୍ୟତଃ କୁଶାଣ ଶାସନରେ ଏହି ଲିପିର ବ୍ୟବହୃତ ହୋଇଥବାରୁ କେହି କେହି ଏହାକୁ କୁଶାଣକାଳୀନ ବ୍ରାହ୍ମୀଲିପି କହିଥା’ନ୍ତି। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଏହାର ବ୍ୟବହାର ହୋଇଛି। ଏହାର ପରବର୍ତ୍ତୀ ବିକାଶ ହେଉଛି ଗୁପ୍ତକାଳୀନ ଲିପି (ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀରୁ ୭ମ ଶତାବ୍ଦୀ)। ଗୁପ୍ତ ରାଜତ୍ଵ କାଳରେ ଏହି ଲିପିର ପ୍ରଚଳନ ଥିଲା। ୭ ମରୁ ୧୧ଶ ଶତାବ୍ଦୀ ମଧ୍ୟରେ ପରିଲକ୍ଷିତ ଲିପି ବିଭିନ୍ନ ନାମରେ ପରିଚିତ। ଏହାକୁ ମଧ୍ୟଯୁଗର କଳିଙ୍ଗ ଲିପି, ସୂକ୍ଷ୍ମକୋଣୀ ଲିପି, କଣ୍ଟକଶୀର୍ଷକ ଲିପି, କୀଳକଶୀର୍ଷକ ଲିପି, କୁଟିଳ ଲିପି ମଧ୍ୟ କୁହାଯାଇଥାଏ। ମହାସାମନ୍ତ ମାଧବ ରାଜାଙ୍କ ଗଞ୍ଜାମ ତାମ୍ରଲେଖ, ଶୁଭକରଙ୍କ ନେଉଳପୁର ଅଭିଲେଖ, ବିଦ୍ୟାଧର ଭଞ୍ଜଙ୍କ ସନନ୍ଦ, କଟକର ସୋମବଂଶୀ ରାଜାଙ୍କର ଅଭିଲେଖ ଆଦିରେ ଏହି ଲିପିର ବ୍ୟବହାର ହୋଇଛି।

ଏକାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ବ୍ୟବହୃତ ଓଡ଼ିଆ ଲିପିକୁ ପ୍ରତ୍ନ ଓଡ଼ିଆ ଲିପି କୁହାଯାଇଥାଏ। ଏହି ସମୟର ଲିପିର ଆକୃତି ଆଧୁନିକ ଓଡ଼ିଆ ଲିପିର ନିକଟବର୍ତ୍ତୀ। ଅ, ଆ, ଇ, ଈ, ଉ, ଊ, ଏ, ଐ, ଓ, ଔ, କ, ଖ, ଗ, ଝା, ୦, ଥ, ଧ, ମ, ଯ, ର, ଳ, ଲ, ବ, ଶ, ଷ, ହ ଆଦି ବର୍ଷଗୁଡ଼ିକ ନିର୍ଦ୍ଦିଷ୍ଟ ଆକୃତି ଗ୍ରହଣ କରି ସାରିଥିଲା। ଏହି ସମୟର ଆସାମୀ, ବଙ୍ଗଳା ଓ ଓଡ଼ିଆ ଲିପି ମଧ୍ୟରେ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇଥାଏ। ୧୪ଶ ଶତକରୁ ୧୬ଶ ଶତକ ମଧ୍ୟରେ ବ୍ୟବହୃତ ଓଡ଼ିଆ ଲିପିକୁ ପ୍ରାଚୀନ ଓଡ଼ିଆ ଲିପି କୁହାଯାଏ। ନାଗରୀ ଲିପିର ପ୍ରଭାବ ଏଥରେ ପରିଲକ୍ଷିତ ହୋଇଥାଏ। ଚତୁର୍ଥ ନରସିଂହଦେବଙ୍କ ପୁରୀ ଶଙ୍କରାନନ୍ଦ ମଠର ତାମ୍ରଫଳକ ସନନ୍ଦରେ ଏହି ଲିପିର ବ୍ୟବହାର ହୋଇଛି। ଷୋଡ଼ଶ ଶତାବ୍ଦୀଠାରୁ ଏଯାବତ୍ ବ୍ୟବହୃତ ଲିପିକୁ ଆଧୁନିକ ଓଡ଼ିଆ ଲିପି କୁହାଯାଇଥାଏ। ପ୍ରାଚୀନ ଓଡ଼ିଆ ଲିପିର ଉପର ଭାଗର ବକ୍ରରେଖା ଆଧୁନିକ ଓଡ଼ିଆ ଲିପିରେ ଗୋଲାକାର ରୂପ ନେଇଛି। ୧୭ଶ ଶତକଠାରୁ ତାଳପତ୍ରପୋଥ, ଶିଳାଲେଖ, ମୁଦ୍ରିତ ଗ୍ରନ୍ଥମାନଙ୍କରେ ଏହି ଲିପି ବ୍ୟବହୃତ। ଏହି ଲିପି ଲେଖନ ପଦ୍ଧତିର ଦୁଇଟି ପଦ୍ଧତି ରହିଛି ଯଥା— ଶିକ୍ଷାୟତନୀୟ ପଦ୍ଧତି ଓ କରଣୀ ପଦ୍ଧତି। ସ୍କୁଲ, କଲେଜ ତଥା ମୁଦ୍ରିତ ଗ୍ରନ୍ଥମାନଙ୍କରେ ଶିକ୍ଷାୟତନୀୟ ପଦ୍ଧତିର ବ୍ୟବହାର ହେଉଥ‌ିବା ବେଳେ, ମୋହରିର ମାନଙ୍କ ଦ୍ବାରା କଚେରି କାଗଜପତ୍ରରେ ଓ ତାଳପତ୍ର ପୋଥିରେ କରଣୀ ପଦ୍ଧତି ବ୍ୟବହୃତ। ବର୍ତ୍ତମାନ ଅବଶ୍ୟ ଆଉ କରଣୀ ପଦ୍ଧତିର ବ୍ୟବହାର ନାହିଁ।

ଓଡ଼ିଆ ଲିପିର ବୈଶିଷ୍ଟ୍ୟ ହେଉଛି–ଏହାର ଶିରୋଦେଶରେ ଅର୍ଥବୃତ୍ତାକାର ମଣ୍ଡଳୀ, ପୁଡ଼ା, ପୁଚ୍ଛ ଓ କୋଣହୀନ କୁଟିଳ ବକ୍ରରେଖା ରହିଥାଏ। ବ୍ରାହ୍ମୀଲିପିରୁ ଓଡ଼ିଆ, ବଙ୍ଗଳା, ନାଗରୀ, ଆସାମୀ ପ୍ରଭୃତି ଲିପିର ବିକାଶ ଘଟିଥିଲେ ହେଁ କେବଳ ଓଡ଼ିଆ ଲିପି ହେଉଛି ସମ୍ପୂର୍ଣ ରୂପେ ଗୋଲାକୃତି। ଏହି ଦୃଷ୍ଟିରୁ ଏହି ଲିପିର ଏକ ସ୍ଵତନ୍ତ୍ର ବିଶେଷତ୍ଵ ରହିଛି।

ଅନୁଶୀଳନୀ

୧ | ଭାଷା କ’ଣ ? ମଣିଷ ଜୀବନରେ ଭାଷାର କ’ଣ ଆବଶ୍ୟକତା ରହିଛି ?
୨ । ଭାରତୀୟ ଆର୍ଯ୍ୟଭାଷାର ବିଭିନ୍ନ ସ୍ତର ସମ୍ପର୍କରେ ଆଲୋଚନା କର।
୩। ଆଜିର ଓଡ଼ିଆ ଭାଷା କେଉଁ କେଉଁ ସ୍ତର ଦେଇ ଗତି କରିଆସିଛି ?
୪ । ଷୋଡ଼ଶ ଶତକର ଓଡ଼ିଆ ଭାଷାର ସ୍ବରୂପ ସମ୍ପର୍କରେ ଆଲୋଚନା କର।
୫ | ପଞ୍ଚଦଶ ଓ ତା’ର ପୂର୍ବବର୍ତୀ ଓଡ଼ିଆ ଭାଷାର ବିଭିନ୍ନ ଲକ୍ଷଣ ସମ୍ବନ୍ଧରେ ସୂଚନା ଦିଅ।

Previous Post Next Post

Contact Form