ବର୍ଣ୍ଣମାନଙ୍କର କାର୍ଯ୍ୟ : ଓଡ଼ିଆ ଭାଷାର ବର୍ଣ୍ଣଗୁଡ଼ିକ ସ୍ଵତନ୍ତ୍ର ଭାବରେ ବା ଅନ୍ୟ ବର୍ଣ୍ଣ ସହ ମିଶି ବ୍ୟବହୃତ ହୋଇଥାନ୍ତି।
ସ୍ଵରବର୍ଣ୍ଣ ସମୁଦାୟ ସ୍ଵତନ୍ତ୍ର ଭାବରେ ବା ବ୍ୟଞ୍ଜନ ବର୍ଣ୍ଣ ସହ ମିଶି ବ୍ୟବହୃତ ହୁଅନ୍ତି । ଯଥା- ଓଉ, ଆଈ, ବିଳାସ (ବ୍+ଇ+ଳ୍+ଆ+ସ୍+ଅ), ସପୁରି।
ମାତ୍ରା:
'ଆ' ଠାରୁ 'ଔ' ପର୍ଯ୍ୟନ୍ତ ସ୍ଵରବର୍ଣ୍ଣଗୁଡ଼ିକ ବ୍ୟଞ୍ଜନବର୍ଣ୍ଣମାନଙ୍କ ସହିତ ମିଳିତ ହେଲେ, ସ୍ୱରବର୍ଣ୍ଣଗୁଡ଼ିକର ଗୋଟିଏ ଗୋଟିଏ ସଙ୍କେତ ବା ଚିହ୍ନ ରହେ। ଉକ୍ତ ସଙ୍କେତକୁ 'ମାତ୍ରା' ବା 'କାର' କୁହାଯାଏ । ଅତଏବ ସ୍ଵରବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପ ହେଉଛି 'ମାତ୍ରା' ବା 'କାର' | 'ଅ' ପ୍ରତିଟି ବ୍ୟଞ୍ଜନ ବର୍ଣ୍ଣ ସହିତ ମିଶି କରି ଥାଏ। ଏହାର କୌଣସି ସାଙ୍କେତିକ ରୂପ ନାହିଁ । 'ଅ' କାର ଯୁକ୍ତ ହୋଇଥିବାରୁ ଆମେ ବ୍ୟଞ୍ଜନବର୍ଣ୍ଣଗୁଡ଼ିକୁ କ, ଖ, ଗ... ଭାବରେ ଉଚ୍ଚାରଣ କରିପାରୁଛେ । ପୁଣି 'ଅ' କାର ଯୁକ୍ତ ହୋଇଥିବାରୁ ବ୍ୟଞ୍ଜନବର୍ଣ୍ଣଗୁଡ଼ିକରୁ ହଳନ୍ତ ( ୍) ଚିହ୍ନ ଲୋପ ପାଇଥାଏ । ଏହି ହଳନ୍ତ ( ୍ ) ଚିହ୍ନକୁ ହସନ୍ତ, ବ୍ୟଞ୍ଜନ ବା ଅର୍ଦ୍ଧମାତ୍ରା ଚିହ୍ନ କହନ୍ତି ।
| ସ୍ଵରବର୍ଣ୍ଣ | ମାତ୍ରାଚିହ୍ନ | ମାତ୍ରାର ନାମ | ବ୍ୟବହାର |
|---|---|---|---|
| ଆ | ା | ଆ କାର | କା, ଖା, ଗା |
| ଇ | ି | ଇ କାର | କି, ଖି, ଗି |
| ଈ | ୀ | ଈ କାର | କୀ, ଖୀ, ଗୀ |
| ଉ | ୁ | ଉ କାର | କୁ, ଖୁ, ଗୁ |
| ଊ | ୂ | ଊ କାର | କୂ, ଖୁ, ଗୂ |
| ଋ | ୃ | ଋ କାର | କୃ, ଖୃ, ଗୃ |
| ଏ | େ | ଏ କାର | କେ, ଖେ, ଗେ |
| ଐ | ୈ | ଐ କାର | କୈ, ଖୈ, ଗୀ |
| ଓ | ୋ | ଓ କାର | କୋ, ଖୋ, ଗୋ |
| ଔ | ୌ | ଔ କାର | କୌ, ଖୌ, ଗୌ |
ଖ୍, ଥ୍, ଧ୍ ¬ ଏହି ତିନୋଟି ବ୍ୟଞ୍ଜନ ବର୍ଣ୍ଣରେ 'ଇ' କାର ଚିହ୍ନଟି ତଳେ ଓ ଉପରେ ଦୁଇ ପ୍ରକାରରେ ରହିଥାଏ । ଯଥା-ଖ୍ି ଆ/ଖିଅ; କଥ୍ିତ/କଥିତ ଇତ୍ୟାଦି।
ଫଳା:
ସ୍ୱରବର୍ଣ୍ଣମାନଙ୍କ ପରି ବ୍ୟଞ୍ଜନବର୍ଣ୍ଣମାନେ ମଧ୍ୟ ସ୍ଵତନ୍ତ୍ର ରୂପେ ବ୍ୟବହୃତ ହୋଇପାରନ୍ତି ବା ଅନ୍ୟ ବ୍ୟଞ୍ଜନବର୍ଣ୍ଣମାନଙ୍କ ସହ ମିଳିତ ହୋଇ ବ୍ୟବହୃତ ହୋଇଥା'ନ୍ତି । ନ, ମ, ଯ, ର, ଳ, ଲ, ୱ (ଅବର୍ଗ୍ୟ ବର୍ଗ), ବ (ବର୍ଗ୍ୟ ବ)- ଏହି ଆଠଟି ବ୍ୟଞ୍ଜନବର୍ଣ୍ଣ ଅନ୍ୟ ବ୍ୟଞ୍ଜନବର୍ଣ୍ଣ ସହିତ ମିଳିତ ହେଲେ, ଯେଉଁ ସଙ୍କେତ ବା ଚିହ୍ନରେ ପରିଣତ ହୁଅନ୍ତି, ସେହି ଚିହୃଗୁଡ଼ିକୁ ଫଳା କୁହାଯାଏ।
ଫଳା ପରିଚୟ ତାଲିକା :
| ବର୍ଣ୍ଣ | ଫଳାଚିହ୍ନ | ଫଳାନାମ | ଫଳାଯୁକ୍ତ ବର୍ଣ୍ଣ |
|---|---|---|---|
| ନ | ନ ଫଳା | କ୍+ନ=କ୍ନ | |
| ମ | ମ ଫଳା | କ+ମ=କ୍ମ | |
| ୟ | ୟ ଫଳା | କ୍+ୟ=କ୍ୟ | |
| ର | ର ଫଳା | କ୍+ର=କ୍ର | |
| ଳ | ଳ ଫଳା | କ୍+ଳ=କ୍ଳ | |
| ଲ | ଲ ଫଳା | କ୍+ଲ=କ୍ଲ | |
| ୱ | ୱ ଫଳା | କ୍+ୱ=କ୍ୱ | |
| ବ | ବ ଫଳା | ମ୍+ବ=ମ୍ବ |
'ବ' ଫଳା କେବଳ ହଳନ୍ତ 'ମ୍' ରେ ଲାଗେ ଓ ଅନ୍ୟତ୍ର ଏହା 'ଓ' ପରି ଉଚ୍ଚାରିତ ହୁଏ। ଯଥା- କଦମ୍ବ, ଡିମ୍ବ, ଶିମ୍ବ ଶାମ୍ବ ଆମ୍ବ, ଲେମ୍ବୁ କମ୍ବଳ, ଅମ୍ବାଳିକା। ୱ ପରି ଉଚ୍ଚାରଣ, ଯଥା- ଅଶ୍ଵ, ବିଶ୍ଵ, ନିଃଶ୍ଵାସ, ଉଶ୍ଵାସ, ଗୁରୁତ୍ୱ, ଘନତ୍ୱ, ବିଶେଷତ୍ଵ।
ପୂର୍ବରୁ ପଢ଼ିଛେ, ସ୍ଵରବର୍ଣ୍ଣ 'ଋ' ବ୍ୟଞ୍ଜନବର୍ଣ୍ଣ ସହିତ ମିଶିଲେ ଯେଉଁ ଚିହ୍ନ ରହେ, ତାକୁ 'ମାତ୍ରା' ବା 'କାର' କହନ୍ତି । ଅତଏବ 'ଋ' ର ସାଙ୍କେତିକ ରୂପ 'ଋ' କାର ( ୃ ); ମାତ୍ର ଆମର ବ୍ୟବହାରରେ ଏହାକୁ 'ଋ' ଫଳା ମଧ୍ୟ କୁହାଯାଏ । ଉଦାହରଣ ସ୍ଵରୂପ 'ପ୍' ରେ ଋ କାର 'ପୃ' ବା 'ପ୍' ରେ ଋ ଫଳା 'ପୃ'।
ପୂର୍ବ ପ୍ରଦତ୍ତ ତାଲିକାରେ ଆଠଟି 'ଫଳା' ଓଡ଼ିଆରେ ଜଣାଶୁଣା। ଅନ୍ୟ ବ୍ୟଞ୍ଜନବର୍ଣ୍ଣ ଗୁଡ଼ିକର ମିଳିତ ଚିହ୍ନକୁ ସାଧାରଣତଃ 'ଫଳା' କୁହାଯାଏ ନାହିଁ।
'ର' କୌଣସି ବ୍ୟଞ୍ଜନବର୍ଣ୍ଣର ପରେ ରହିଲେ ତାହାର ନାମ 'ର' ଫଳା। ଯେପରି କ୍+ର=କ୍ର - ଚକ୍ର, ନକ୍ର, ଶକ୍ର; ମାତ୍ର 'ର' ବ୍ୟଞ୍ଜନବର୍ଣ୍ଣ ପୂର୍ବରୁ ରହିଲେ ତାକୁ 'ରେଫ' କୁହାଯାଏ | ଯଥା- ର୍+କ=ର୍କ - ଅର୍କ, ପର୍ବ, କର୍ମ, ଦର୍ପ, ସର୍ଗ।
ବର୍ଣ୍ଣବିକଳ୍ପ ଦ୍ଵିତ୍ଵ- ରେଫ ଯୁକ୍ତ ହେଲେ ଚ, ଛ, ଜ, ଣ, ତ, ଦ, ଧ, ବ, ମ, ଯ ବର୍ଣ୍ଣମାନଙ୍କର ବିକଳ୍ପରେ ଦ୍ଵିତ୍ଵ ହୁଏ । ଅର୍ଥାତ୍ ହୋଇପାରେ ବା ହୋଇ ନ ପାରେ; ମାତ୍ର ଦ୍ଵିତ୍ଵ ବର୍ଣ୍ଣର ଚଳଣି ଆମ ଲେଖାରେ ଅଛି । ଯଥା- ଚର୍ଚ୍ଚା/ଚର୍ଚା, ବର୍ଛା/ବର୍ଚ୍ଛା, ନିର୍ଦ୍ଦୋଷ/ନିର୍ଦୋଷ, ନିର୍ଦ୍ଦେଶ/ନିର୍ଦେଶ, କର୍ତ୍ତା/କର୍ତା, ଦର୍ଦ୍ଦୁର/ଦର୍ଦୁର, ନିର୍ଦ୍ଧନ/ନିର୍ଧନ, ନିର୍ଦୟ/ ନିର୍ଦ୍ଦୟ, ଶର୍ମା/ଶର୍ମ୍ମା , ଆର୍ଯ୍ୟ/ଆର୍ଯ, ସୂର୍ଯ୍ୟ/ସୂର୍ଯ, ଚତୁର୍ଦଶ/ଚତୁର୍ଦ୍ଦଶ ଇତ୍ୟାଦି।
ଯୁକ୍ତାକ୍ଷର:
ବ୍ୟଞ୍ଜନବର୍ଣ୍ଣ ସହିତ ବ୍ୟଞ୍ଜନବର୍ଣ୍ଣ ମିଶିଲେ, ତାକୁ ଯୁକ୍ତାକ୍ଷର କହନ୍ତି। ଏହାର ଅନ୍ୟ ନାମ ଯୁକ୍ତବର୍ଣ୍ଣ ବା ଯୁକ୍ତବ୍ୟଞ୍ଜନ।
ଅନୁନାସିକ ଯୁକ୍ତାକ୍ଷର- ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ ସହିତ ସେହି ବର୍ଗର ଅନ୍ୟ
ବର୍ଣ୍ଣମାନଙ୍କର ସଂଯୋଗରେ ସୃଷ୍ଟି ଯୁକ୍ତାକ୍ଷରକୁ ଅନୁନାସିକ ଯୁକ୍ତାକ୍ଷର ବା ଅନୁନାସିକ
ଯୁକ୍ତବର୍ଣ୍ଣ କୁହାଯାଏ। ଙ୍, ଞ୍, ଣ୍, ନ୍, ମ୍ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ।
ଅନୁନାସିକ ଯୁକ୍ତାକ୍ଷର କୋଡ଼ିଏଟି। ଯଥା-
ଙ୍ + କ, ଖ, ଗ, ଘ = ଙ୍କ, ଙ୍ଖ,
ଙ୍ଗ, ଙ୍ଘ - କ ବର୍ଗ
ଞ୍ + ଚ, ଛ, ଜ, ଝ = ଞ୍ଚ, ଞ୍ଛ, ଞ୍ଜ, ଞ୍ଝ - ଚ
ବର୍ଗ
ଣ୍ + ଟ, ଠ, ଡ, ଢ = ଣ୍ଟ, ଣ୍ଠ, ଣ୍ଡ, ଣ୍ଢ - ଗ ବର୍ଗ
ନ୍ + ତ, ଥ, ଦ,
ଧ = ନ୍ତ, ନ୍ଥ, ନ୍ଦ, ନ୍ଧ - ତ ବର୍ଗ
ମ୍ + ପ, ଫ, ବ, ଭ = ମ୍ପ, ମ୍ଫ, ମ୍ବ, ମ୍ଭ - ପ
ବର୍ଗ
ପୂର୍ବସୂଚିତ ୨୦ଟି ଅନୁନାସିକ ଯୁକ୍ତାକ୍ଷରକୁ 'ଅନୁସ୍ଵାର' ସାହାଯ୍ୟରେ ମଧ୍ୟ ଲେଖାଯାଇ ପାରୁଛି। ଯଥା-
| ବଙ୍କା - ବଂକା | ବାଞ୍ଝ - ବାଂଝ | ଜନ୍ଦା - ଜଂଦା | |||
| ଶଙ୍ଖା - ଶଂଖା | ଘଣ୍ଟା - ଘଂଟା | ରନ୍ଧା - ରଂଧା | |||
| ଡଙ୍ଗା - ଡଂଗା | କଣ୍ଠ - କଂଠ | ଚମ୍ପା - ଚଂପା | |||
| ସଙ୍ଘ - ସଂଘ | କୁଣ୍ଡା - କୁଂଡ଼ା | ଗୁମ୍ଫା - ଗୁଂଫା | |||
| ସଞ୍ଚୟ - ସଂଚୟ | ଶୁଣ୍ଢ - ଶୁଂଢ଼ | ଆମ୍ଭ - ଆଂବ | |||
| ବାଞ୍ଚା - ବାଂଛା | ଦାନ୍ତ - ଦାଂତ | ଦମ୍ଭ - ଦଂଭ | |||
| ସଞ୍ଜ - ସଂଜ | କାନ୍ଥ - କାଂଥ |
ଅନ୍ୟାନ୍ୟ ପ୍ରଚଳିତ ଯୁକ୍ତାକ୍ଷର
ଦୁଇ ବ୍ୟଞ୍ଜନବର୍ଣ୍ଣ ସଂଯୋଗରେ ନିଷ୍ପନ୍ନ ଯୁକ୍ତାକ୍ଷର-
| କ୍ + କ = କ୍କ - ପକ୍କ, ମକ୍କା | କ୍ + ତ = କ୍ତ - ଶକ୍ତ, ବିରକ୍ତ | କ୍ + ଟ = କ୍ଟ - ଆକ୍ଟର, ଟ୍ରାକ୍ଟର |
| କ୍ + ଷ = କ୍ଷ - ପକ୍ଷ, ବକ୍ଷ | କ୍ + ସ = କ୍ସ - ନକ୍ସା, ବାକ୍ସ | ଗ୍ + ଦ = ଗ୍ଦ - ବାଗ୍ଦେବୀ |
| ଗ୍ + ଧ = ଗ୍ଧ - ଦଗ୍ଧ, ଦୁଗ୍ଧ | ଚ୍ + ଚ = ଚ୍ଚ - ଉଚ୍ଚ, ଉଚ୍ଚାରଣ | ଚ୍ + ଛ = ଚ୍ଛ - ଆଚ୍ଛା, ତୁଚ୍ଛା |
| ଚ୍ + ଞ = ଚ୍ଞ - ଯାଚ୍ଞା | ଜ + ଜ୍ = ଜ୍ଜ - ଲଜ୍ଜା, ମଜ୍ଜା, ସଜ୍ଜା | ଜ୍ + ଝ = ଜ୍ଝ - କୂଜ୍ଝଟି |
| ଜ୍ + ଞ = ଜ୍ଞ - ବିଜ୍ଞ, ବିଜ୍ଞାନ | ଟ୍ + ଟ = ଟ୍ଟ - ପଟ୍ଟ, ଅଟ୍ଟ, ଅଟ୍ଟାଳିକା | ଡ୍ + ଗ = ଡ୍ଗ - ଖଡ୍ଗ, ଖଡ୍ଗୀ |
| ଡ୍ + ଡ = ଡ୍ଡ - ଉଡ୍ଡୀନ, ଉଡ଼୍ଡୟନ | ତ୍ + କ = ତ୍କ - ଉତ୍କଳ, ଉତ୍କଣ୍ଠା | ତ୍ + ତ = ତ୍ତ - ଉତ୍ତର, ବୃହତ୍ତର |
| ତ୍ + ଥ = ତ୍ଥ - ଅଶ୍ଵତ୍ଥ, ଉତ୍ଥାନ | ତ୍ + ପ = ତ୍ପ - ଉତ୍ପନ୍ନ, ଉତ୍ପଳ | ତ୍ + ସ = ତ୍ସ - ବତ୍ସ, ସମ୍ବତ୍ସର |
| ଦ୍ + ଗ = ଡ୍ଗ - ମୁଦ୍ଗର | ଦ୍ + ଘ = ଦ୍ଘ - ଉଦ୍ଘାଟନ | ଦ୍ + ଦ = ଦ୍ଦ - ଉଦ୍ଦାମ, ଉଦ୍ଦେଶ୍ୟ |
| ଦ୍ + ଧ = ଦ୍ଧ - ଉଦ୍ଧବ, ଉଦ୍ଧାର | ଦ୍ + ବ = ଦ୍ବ - ଦୁଦ୍ବୁଦ | ଦ୍ + ଭ = ଦ୍ଭ - ଉଦ୍ଭବ, ଉଦ୍ଭାବନ |
| ଦ୍ + ୟ = ଦ୍ୟ - ସଦ୍ୟ, ଉଦ୍ୟମ | ପ୍ + ତ = ପ୍ତ - ତପ୍ତ, ସପ୍ତ | ପ୍ + ପ = ପ୍ପ - ପିପ୍ପଳ, ପିପ୍ପଳୀ |
| ପ୍ + ସ = ପ୍ସ - ଅପ୍ସରା, ଲିପ୍ସା | ବ୍ + ଜ = ବ୍ଜ - ଅବ୍ଜ, କୁବ୍ଜ | ବ୍ + ଦ = ବ୍ଦ - ଅବ୍ଦ, ଶବ୍ଦ, ଶକାବ୍ଦ |
| ବ୍ + ଧ = ବ୍ଧ - ଲବ୍ଧ, ସ୍ତବ୍ଧ, ପ୍ରାରବ୍ଧ | ବ୍ + ବ = ବ୍ବ - ତିବ୍ବତ, ତିବ୍ବତୀୟ | ଳ୍ + କ = ଳ୍କ - ବଳ୍କଳ, ଶୁଳ୍କ |
| ଳ୍ + ପ = ଳ୍ପ - ଅଳ୍ପ, ତଳ୍ପ, ଗଳ୍ପ | ଳ୍ + ଫ = ଳ୍ଫ - ଗୁଳ୍ଫ, | ଳ୍ + ଭ = ଳ୍ଭ - ପ୍ରଗଳ୍ଭ, ପ୍ରଗଳ୍ଭତା |
| ଲ୍ + କ = ଲ୍କ - ଉଲ୍କା | ଲ୍ + ଗ = ଲ୍ଗ - ଫାଲ୍ଗୁନ, ଫଲ୍ଗୁ | ଶ୍ + ଚ = ଶ୍ଚ - ପଶ୍ଚିମ, ପଶ୍ଚାତ |
| ଶ୍ + ଚ୍ଛ = ଶ୍ଚ୍ଛ - ଶିରଶ୍ଛେଦ | ଷ୍ + କ = ଷ୍କ - କନିଷ୍କ, ପରିଷ୍କାର | ଷ୍ + ଟ = ଷ୍ଟ - ନଷ୍ଟ, ଭ୍ରଷ୍ଟ |
| ଷ୍ + ଠ = ଷ୍ଠ - କନିଷ୍ଠ, ଜ୍ୟେଷ୍ଠ | ଷ୍ + ଣ = ଷ୍ଣ - ଉଷ୍ଣ, କୃଷ୍ଣ, ତୃଷ୍ଣା | ଷ୍ + ପ = ଷ୍ପ - ବାଷ୍ପ, ନିଷ୍ପାପ |
| ଷ୍ + ଫ = ଷ୍ଫ - ନିଷ୍ଫଳା | ସ୍ + କ = ସ୍କ - ତୁରସ୍କ, ପୁରସ୍କାର | ସ୍ + ଖ = ସ୍ଖ - ସ୍ଖଳନ, ସ୍ଖଳିତ |
| ସ୍ + ତ = ସ୍ତ - ଅସ୍ତ, ବ୍ୟସ୍ତ, ଶସ୍ତା | ସ୍ + ଥ = ସ୍ଥ - ସ୍ୱାସ୍ଥ, ସୁସ୍ଥ | ସ୍ + ପ = ସ୍ପ - ସ୍ପର୍ଶ, ସ୍ପଷ୍ଟ, ସ୍ପନ୍ଦନ |
| ସ୍ + ଫ = ସ୍ଫ - ସ୍ଫଟିକ, ସ୍ଫୀତ, ସ୍ଫୁରଣ | ---- | ---- |
ଦୁଇରୁ ଅଧିକ ବ୍ୟଞ୍ଜନର ଯୁକ୍ତାକ୍ଷର-
| କ୍+ତ୍+ର= କ୍ତ୍ର - ବକ୍ତ୍ର | କ୍+ଷ୍+ଣ= କ୍ଷ୍ଣ - ତୀକ୍ଷ୍ଣ | କ୍+ଷ୍+ମ= କ୍ଷ୍ମ - ସୂକ୍ଷ୍ମ |
| କ୍+ଷ୍+ୟ= କ୍ଷ୍ୟ - ଲକ୍ଷ୍ୟ | ଙ୍+କ୍+ତ= ଙକ୍ତ - ପଙକ୍ତି (ପଂକ୍ତି) | ଙ୍+କ୍+କ୍ଷ= ଙ୍କ୍ଷ - ଆକାଙ୍କ୍ଷା |
| ଜ୍+ଜ୍+ୱ= ଜ୍ଜ୍ଵ - ଉଜ୍ଜ୍ଵଳ | ଣ୍+ଡ଼୍+ର= ଣ୍ଡ୍ର - ଲଣ୍ଡ୍ରି | ତ୍+ତ୍+ୱ= ତ୍ତ୍ଵ - ମହତ୍ତ୍ୱ |
| ତ୍+ତ୍+ର= ତ୍ତ୍ର - ପୁତ୍ତ୍ର | ତ୍+ମ୍+ୟ= ତ୍ଣ୍ୟ (ତ୍ମ୍ୟ)- ମାହାତ୍ଣ୍ୟ, ଦୌରାତ୍ମ୍ୟ | ତ୍+ସ୍+ନ= ତ୍ସ୍ନ - ଜ୍ୟୋତ୍ସ୍ନା |
| ତ୍+ସ୍+ୟ= ତ୍ସ୍ୟ - ମତ୍ସ୍ୟ | ନ୍+ତ୍+ୟ= ନ୍ତ୍ୟ - ଅନ୍ତ୍ୟ | ନ୍+ତ୍+ର= ନ୍ତ୍ର - ମନ୍ତ୍ର |
| ନ୍+ତ୍+ୱ= ନ୍ତ୍ଵ - ସାନ୍ତ୍ଵନା | ନ୍+ଦ୍+ର= ନ୍ଦ୍ର - ଚନ୍ଦ୍ର | ନ୍+ଧ୍+ୟ= ନ୍ଧ୍ୟ - ସନ୍ଧ୍ୟା |
| ନ୍+ନ୍+ୟ= ନ୍ନ୍ୟ - ସନ୍ନ୍ୟାସୀ | ମ୍+ପ୍+ର= ମ୍ପ୍ର - ସମ୍ପ୍ରତି | ମ୍+ଭ୍+ର= ମ୍ଭ୍ର - ସମ୍ଭ୍ରାନ୍ତ |
| ର୍+ଚ୍+ଚ= ର୍ଚ୍ଚ - ଅର୍ଚ୍ଚନା | ର୍+ଚ୍ଛ୍+ଛ= ର୍ଚ୍ଛ - ମୂର୍ଚ୍ଛନା | ର୍+ଣ୍+ଣ= ର୍ଣ୍ଣ - ବର୍ଣ୍ଣନା |
| ର୍+ତ୍+ତ= ର୍ତ୍ତ - ସର୍ତ୍ତ | ର୍+ଦ୍+ଦ= ର୍ଦ୍ଦ - ଶାର୍ଦ୍ଦୁଳ | ର୍+ଦ୍+ଧ= ର୍ଦ୍ଧ - ବର୍ଦ୍ଧନ |
| ର୍+ତ୍+ସ= ର୍ତ୍ସ - ଭର୍ତ୍ସନା | ର୍+ଦ୍+ର= ର୍ଦ୍ର - ଆର୍ଦ୍ର | ର୍+ଯ୍+ଯ(ୟ)= ର୍ଯ୍ୟ - ସୂର୍ଯ୍ୟ |
| ର୍+ଶ୍+ୱ= ର୍ଶ୍ୱ - ପାର୍ଶ୍ୱ | ଷ୍+କ୍+ର= ଷ୍କ୍ର - ନିଷ୍କ୍ରିୟ | ଷ୍+ପ୍+ର= ଷ୍ପ୍ର- ନିଷ୍ପ୍ରୟୋଜନ |
| ସ୍+ତ୍+ର= ସ୍ତ୍ର- ଅସ୍ତ୍ର | ସ୍+ଥ୍+ୟ= ସ୍ଥ୍ୟ- ସ୍ଵାସ୍ଥ୍ୟ | ନ୍+ତ୍+ତ୍+ୟ= ନ୍ତ୍ର୍ୟ - ସ୍ଵାତନ୍ତ୍ର୍ୟ |
| ର୍+ତ୍+ତ୍+ୟ= ର୍ତ୍ତ୍ୟ - ମର୍ତ୍ତ୍ୟ | ର୍+ତ୍+ତ୍+ର= ର୍ତ୍ତ୍ର - କର୍ତ୍ତ୍ରୀ | ର୍+ଦ୍+ଧ୍+ୱ= ର୍ଦ୍ଧ୍ୱ - ଉର୍ଦ୍ଧ୍ଵ |
ଯୁକ୍ତାକ୍ଷରମାନଙ୍କ ମଧ୍ୟରୁ କେତେକକୁ ପୂର୍ବ ବର୍ଣ୍ଣରେ ହଳନ୍ତ ଚିହ୍ନ ଦେଇ ଲେଖାଯାଉଛି, ଯଥା- ବାକ୍(ସ), ବାଗ୍(ଦା)ନ, ଦୁଗ୍(ଧ), ଖଡ଼୍(ଗ), ଉତ୍(କ)ଲ , ଉତ୍(ଥା)ନ, ବୀପ୍(ସା), ଅବ୍(ଜ), ଶବ୍(ଦ), ଆରବ୍(ଧ), ଶୁଳ୍(କ), ପ୍ରଗଳ୍(ଭ), ଉଦ୍(ଭ)ଟ , ବିତ୍(ପା)ତ, ଉଦ୍(ଯୋ)ଗ, କୁଜ୍(ଝ)ଟିକା, ଗଳ୍(ପ), ବୁଦ୍(ବୁ)ଦ ଇତ୍ୟାଦି।
ବନାନ- ଗୋଟିଏ ଶବ୍ଦରେ ଥିବା ବର୍ଣ୍ଣଗୁଡ଼ିକୁ ପୃଥକ୍ ପୃଥକ୍ ଦର୍ଶାଇ ଉଲ୍ଲେଖ କରିବାର ନାମ ବନାନ। ଯେପରି 'ରମେଶ' ଏହି ଶବ୍ଦର ବନାନ ହେଉଛି- ର୍+ଅ=ର, ମ୍+ଏ=ମେ, ଶ୍+ଅ=ଶ। ଏଥରେ ଛ' ଟି ବର୍ଣ୍ଣ ଅଛି । ବାଞ୍ଚାନିଧି- ବ+ଆ, ଞ୍+ଛ୍+ଆ, ନ୍+ଇ, ଧ୍+ଇ। ଏହି ଶବ୍ଦଟି ନ' ଟି ବର୍ଣ୍ଣକୁ ନେଇ ଗଠିତ।
ଉଚ୍ଚାରଣ- ଇଂରାଜୀ, ହିନ୍ଦୀ ଓ ଅନ୍ୟାନ୍ୟ କେତେକ ଭାଷାରେ ଲିଖନ ଓ ଉଚ୍ଚାରଣ କ୍ଷେତ୍ରରେ ପାର୍ଥକ୍ୟ ଦେଖାଯାଏ। ମାତ୍ର ଓଡ଼ିଆରେ ସେପରି ନାହିଁ। ଏ ପ୍ରକାର ବ୍ୟତିକ୍ରମ କ୍ଵଚିତ ପରିଲକ୍ଷିତ ହୋଇଥାଏ। ଯଥା-
| ଲିଖନ | ଉଚ୍ଚାରଣ |
|---|---|
| ଅଗ୍ରଗଣ୍ୟ | ଅଗ୍ରଗନ୍ୟ |
| ପ୍ରହ୍ଲାଦ | ପ୍ରଲ୍(ହା)ଦ |
| କାହ୍ନୁ | କାନ୍(ହୁ) |
| ନଦୀ | ନଦି |
ଓଡ଼ିଆ ଭାଷାର ଲିଖନରେ ଦୀର୍ଘସ୍ଵରର ସ୍ଥିତି ଥିଲେ ମଧ୍ୟ ଉଚ୍ଚାରଣରେ ସାଧାରଣତଃ ହ୍ରସ୍ଵପ୍ରବଣତା ଦେଖାଯାଉଛି। ଯେପରି 'ଗୀତା' ଶବ୍ଦରେ ଉଭୟ ବର୍ଣ୍ଣ ଦୀର୍ଘସ୍ଵର ବିଶିଷ୍ଠ ହୋଇଥିଲେ ମଧ୍ୟ ଉଚ୍ଚାରଣରେ ସ୍ଵାଭାବିକ ଭାବରେ ହ୍ରସ୍ଵସ୍ଵର ହେଉଛି।
ଅନୁଶୀଳନୀ
୧. ମାତ୍ରା କାହାକୁ କହନ୍ତି ? ସମସ୍ତ ମତ୍ରାଚିହ୍ନ ଉଲ୍ଲେଖ କର।
୨. ଔକାର ମାତ୍ରାଥିବା ପାଞ୍ଚଟି ଶବ୍ଦ ଲେଖ।
୩. ଯୁକ୍ତାକ୍ଷର କାହାକୁ କହନ୍ତି ? ସାତଟିର ଉଦାହରଣ ଦିଅ।
୪. ଫଳା କ'ଣ ଓ ପ୍ରତ୍ୟେକ ଫଳା ଥାଇ ଦୁଇଟି ଲେଖାଏଁ ଶବ୍ଦ ଲେଖ।
୫. ଅନୁନାସିକ ଯୁକ୍ତାକ୍ଷର କାହାକୁ କହନ୍ତି ? ସେମାନଙ୍କ ସଂଖ୍ୟା କେତୋଟି ?
୬. ଅନୁନାସିକ ଯୁକ୍ତାକ୍ଷରକୁ କିପରି ଅନୁସ୍ଵାର ଦେଇ ଲେଖାଯାଏ, ଦଶଟିର ଉଦାହରଣ
ଦିଅ।
୭. ନିମ୍ନଲିଖତ ଯୁକ୍ତାକ୍ଷରଗୁଡ଼ିକ କେଉଁ କେଉଁ ବର୍ଣ୍ଣର ସଂଯୋଗରେ ଗଠିତ ଲେଖ।
ଷ୍ଟ୍ର,
ସ୍ଥ୍ୟ, ଜ୍ଞ, ଷ୍ଣ, ତ୍ପ, ପ୍ତ, ତ୍କ, ପ୍ସ, ସ୍ତ୍ର, ଜ୍ଜ୍ଵ, କ୍ଷ
୮. ନିମ୍ନଲିଖୂତ ଅକ୍ଷରଗୁଡ଼ିକର ମିଳନରେ କେଉଁ କେଉଁ ଶବ୍ଦ ହେବ ଲେଖ।
ଉ+ତ୍, କ୍+ଅ, ଳ୍+ଅ । ବ୍+ଇ, ସ+ତ୍+ଆ, ର୍+ଅ ।
ସ୍+ଅ, ଦ୍+ଭ୍+ଆ, ବ୍+ଅ । କ୍+ଅ, ନ୍ଇ, ଷ୍+ଠ୍+ଅ।
ଉ+ତ୍+ତ୍+ଅ,
ର୍+ଅ । ମ୍+ଅ, ଥ୍+ଉ, ର+ଆ।
୯. କେଉଁ କେଉଁ ବର୍ଣ୍ଣଗୁଡ଼ିକ ବିକଳ୍ପରେ ଦ୍ଵିତ୍ଵ ହୁଏ, କାହିଁକି ?
୧୦. ନିମଲିଖିତ ଶବ୍ଦଗୁଡ଼ିକର ଵନାନ ଲେଖ।
ମୃଣ୍ମୟ, କୁମ୍ଭୀର, କମ୍ପନ, ଦୁର୍ଯୋଗ,
ବର୍ଣ୍ଣାଳୀ ଚଉଁରୀ, ମହାଭାରତ।