ଧ୍ବନି, ବର୍ଣ୍ଣ ଓ ବର୍ଣ୍ଣମାଳା

ଧ୍ୱନି:

ପ୍ରଭାତର ଶଯ୍ୟାତ୍ୟାଗଠାରୁ ରାତ୍ରିର ଶଯ୍ୟା ଗ୍ରହଣ ପର୍ଯ୍ୟନ୍ତ ମନୁଷ୍ୟ ନାନା ଧ୍ଵନି ଶୁଣିବାକୁ ପାଇଥାଏ। ପ୍ରକୃତି ରାଜ୍ୟରେ ଅହରହ ବିଭିନ୍ନ ଧ୍ବନି ସୃଷ୍ଟି ହେଉଛି। ମନୁଷ୍ୟର ମଧ୍ୟ ଧ୍ଵନି ଅଛି। କାହିଁ କେଉଁ ଅତୀତରୁ ମାନବ ନିଜର ମୁଖନିଃସୃତ ଧ୍ଵନି ସାହାଯ୍ୟରେ ଭାବପ୍ରକାଶ କରିଆସୁଛି। ଅନ୍ୟାନ୍ୟ ପଶୁପକ୍ଷୀମାନେ ମଧ୍ୟ କିଛି କିଛି ଧ୍ଵନିଦ୍ଵାରା ଭାବ ପ୍ରକାଶ କରିଥା’ନ୍ତି; ମାତ୍ର ମନୁଷ୍ୟମାନଙ୍କ ପରି ବ୍ୟାପକ ଓ ଅର୍ଥବୋଧକ ନୁହେଁ। ସୁତରାଂ ଧ୍ଵନି ହେଉଛି ଏକପ୍ରକାର ନାଦ ବା ଶବ୍ଦ। ମନୁଷ୍ୟର ମୁଖନିଃସୃତ ଭାବପ୍ରକାଶକ ଧ୍ଵନିସମୂହ ହେଉଛି ଭାଷା; ଭାଷା ମଧ୍ୟ ଭାବପ୍ରକାଶର ପ୍ରଧାନ ମାଧ୍ୟମ

ବର୍ଣ୍ଣ:

ଧ୍ଵନିମାନଙ୍କର ଲିଖତ ରୂପ ହେଉଛି ବର୍ଣ୍ଣ। ଅର୍ଥାତ୍ ଧ୍ବନି ବର୍ଷମାନଙ୍କରେ ବର୍ଣ୍ଣିତ ବା ରୂପାୟିତ। ବର୍ଣ୍ଣ ଧ୍ଵନିମାନଙ୍କର ଲିଖନସଙ୍କେତ ହୋଇଥିବାରୁ ତାହା ଲିପି। ବର୍ଣ୍ଣର ଅନ୍ୟନାମ ଅକ୍ଷର। ବିଭିନ୍ନ ଭାଷାରେ ବିଭିନ୍ନ ସଂଖ୍ୟକ ବର୍ଷ ଥାଏ। ସେମାନଙ୍କର ଆକାର ଓ ଉଚ୍ଚାରଣରେ ପାର୍ଥକ୍ୟ ରହିଛି।

ବର୍ଣ୍ଣମାଳା : 

ଓଡ଼ିଆ ଭାଷାରେ ଲେଖାପଢ଼ାପାଇଁ ଅଣଚାଶ (୪୯) ଟି ବର୍ଣ୍ଣ ବ୍ୟବହୃତ ହେଉଛି। ଏହି ବର୍ଣ୍ଣ ସମୁଦାୟକୁ ଓଡ଼ିଆଭାଷାର ବର୍ଣ୍ଣମାଳା କୁହାଯାଏ, ଯଥା-

ଅ, ଆ, ଇ, ଈ, ଉ, ଊ, ୠ, ଏ, ଐ, ଓ, ଔ, କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ୦, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, (ଅବର୍ଗ୍ୟ ବ), ଶ, ଷ, ସ, ହ, °(ଅନୁସ୍ଵାର), ଃ(ବିସର୍ଗ), ଁ(ଚନ୍ଦ୍ରବିନ୍ଦୁ)। 
ଆଗରୁ ପଢ଼ିଛେ ଧ୍ଵନିର ଲିଖ ରୂପ ବର୍ଣ୍ଣ; ମାତ୍ର ୪୯ ବର୍ଣ୍ଣର ୪୯ଟି ଧ୍ଵନି ନାହିଁ। ଇ-ଈ, ଜ−ଯ, ଶ-ଷ–ସ ବର୍ଣ୍ଣଗୁଡ଼ିକର ଉଚ୍ଚାରଣ ସମାନ। ଯଥା- ପାଣି, ବାଣୀ; ଜଳ, ଯଶ; ଶଗଡ଼, ଷଣ୍ଢ, ସହର।

ବର୍ଣ୍ଣମାନଙ୍କର ବିଭାଗୀକରଣ 

ଓଡ଼ିଆରେ ବ୍ୟବହୃତ ବର୍ଣ୍ଣମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଏ। ଯଥା- ସ୍ୱରବର୍ଣ୍ଣ  ଓ ବ୍ୟଞ୍ଜନବର୍ଣ୍ଣ। 

ସ୍ଵରବର୍ଣ- ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥବା ବର୍ଣ୍ଣମାନଙ୍କୁ ସ୍ୱରବର୍ଣ୍ଣ କୁହାଯାଏ। ଓଡ଼ିଆ ଭାଷାରେ ସ୍ଵରବର୍ଣ ୧୧। ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ।

ପ୍ରାଚୀନ ବ୍ୟବହାରରେ ଥିବା ଋ (ଦୀର୍ଘ  ଓ  (ଲୁ) ର ପ୍ରଚଳନ ବର୍ତ୍ତମାନ ନାହିଁ। ମୁଖଗହ୍ଵରର ବାଗ୍‌ଯନ୍ତ୍ର ଦେଇ ସ୍ୱରବର୍ଣ୍ଣଗୁଡ଼ିକ ଉଚ୍ଚାରିତ ହେଲାବେଳେ ନିର୍ବାଧରେ ଉଚ୍ଚାରିତ ହୋଇଥା’ନ୍ତି।

ସ୍ୱରବର୍ଣ୍ଣମାନଙ୍କର ବିଭାଗ– ଉଚ୍ଚାରଣ ଅନୁସାରେ ସ୍ୱରବର୍ଣ୍ଣମାନଙ୍କୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଏ। ଯଥା- ହ୍ରସ୍ଵସ୍ଵର ଓ ଦୀର୍ଘସ୍ଵର।

ହ୍ରସସ୍ଵର - ଅ, ଇ, ଉ, ଋ।

ଦୀର୍ଘସ୍ଵର- ଆ, ଈ, ଉ, ଏ, ଐ, ଓ, ଔl

ହ୍ରସ୍ଵ ସ୍ଵର ଅପେକ୍ଷା ଦୀର୍ଘସ୍ଵରମାନଙ୍କର ଉଚ୍ଚାରଣ ଅଧିକ ସମୟ ନିଏ। ‘ଅ’ ଠାରୁ ‘ଔ’ ପର୍ଯ୍ୟନ୍ତ ୧୧ଟି ସ୍ଵରବର୍ଣ୍ଣର ମାତ୍ର ୮ଟି ଧ୍ବନି ଅଛି। ଯଥା- ଅ, ଆ, ଇ, ଉ, ଏ, ଐ, ଓ, ଔ। ଆଠଟି ସ୍ଵର ଧ୍ବନି ମଧ୍ଯରୁ ଅ, ଇ, ଉ- ହ୍ରସ୍ଵସ୍ଵର ଧ୍ଵନି ଏବଂ ଆ, ଏ, ଐ, ଓ, ଔ ଦୀର୍ଘସ୍ଵର ଧ୍ଵନି, ଉଚ୍ଚାରଣରେ ହ୍ରସ୍ଵସ୍ଵରଠାରୁ ଦୀର୍ଘସ୍ଵରରେ ଅଧିକ ସମୟ ଲାଗେ। ଐ, ଦୁଇଟିକୁ ସଂଯୁକ୍ତ ସ୍ଵର ବା ସନ୍ଧ୍ୟକ୍ଷର କହନ୍ତି।  

ଉଦାହରଣ-
ଅ + ଇ = ଐ, ଅଇରାବତ – ଐରାବତ
ଅ + ଉ = ଔ, ସଉରଭ – ସୌରଭ

ଦ୍ରୁତ ଉଚ୍ଚାରଣରେ ଅ, ଇ ‘ଐ’ ଓ ଅ, ଉ ‘ଔ’ ରେ ପରିଣତ ହୋଇଥା’ନ୍ତି।

ବ୍ୟଞ୍ଜନବର୍ଣ୍ଣ- ଯେଉଁ ବର୍ଣ୍ଣଗୁଡ଼ିକ ସ୍ଵରବର୍ଣ୍ଣର ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେମାନଙ୍କୁ ବ୍ୟଞ୍ଜନବର୍ଣ୍ଣ କୁହାଯାଏ। ଅର୍ଥାତ୍ ସ୍ଵର ସହିତ ଯୁକ୍ତ ହେଲେ ବ୍ୟଞ୍ଜନବର୍ଣ୍ଣଗୁଡ଼ିକ ଉଚ୍ଚାରିତ ହୁଅନ୍ତି। 

ବ୍ୟଞ୍ଜନ ବର୍ଣ୍ଣମାନଙ୍କର ସଂଖ୍ୟା ୩୮।

ଯଥା- କ୍, ଖ୍, ଗ୍, ଘ୍, ଙ୍, ଚ୍, ଛ୍, ଜ୍, ଝ୍, ଞ୍, ଟ୍, ଠ୍, ଡ୍, ଢ୍, ଣ୍, ତ୍, ଥ୍, ଦ୍, ଧ୍, ନ୍, ପ୍, ଫ୍, ବ୍, ଭ୍, ମ୍, ଯ୍, ୟ୍, ର୍, ଳ୍, ଲ୍, ୱ୍, ଶ୍, ଷ୍, ସ୍, ହ୍, ° (ଅନୁସ୍ଵାର),  ଃ (ବିସର୍ଗ),  ଁ (ଚନ୍ଦ୍ରବିନ୍ଦୁ)। ମାତ୍ର ୩୮ଟି ବ୍ୟଞ୍ଜନବର୍ଣ୍ଣର ଉଚ୍ଚାରଣରେ ୩୨ଟି ଧ୍ବନି ଅଛି। ଯଥା- କ, ଖ, ଗ, ଘ, ଚ, ଛ, ଜ, ଝ, ଟ, ଠ, ଡ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ର, ଳ, ଲ, ୱ, ସ, ହ, °,ଁ, ଙ, ଞ, ଯ, ଶ, ଷ, ଃ ର ମୌଳିକ ଧ୍ବନି ଏବେ ଲୁପ୍ତ। 

କ୍ଷ’ ଏକ ଯୁକ୍ତାକ୍ଷର (କ୍ + ଷ)। ଏହାର ବ୍ୟାବହାରିକ ବିଶେଷତ୍ଵ ହେତୁ ଏହାକୁ ସ୍ୱତନ୍ତ୍ର ବ୍ୟଞ୍ଜନ ବର୍ଣ୍ଣର ମାନ୍ୟତା ଦେବାକୁ କେତେକ ବୈୟାକରଣିକ ମତ ଦେଉଛନ୍ତି।

ବ୍ୟଞ୍ଜନବର୍ଣ୍ଣର ବିଭାଗୀକରଣ : 

ବ୍ୟଞ୍ଜନବର୍ଣ୍ଣମାନଙ୍କ ମଧ୍ୟରୁ କ୍ ଠାରୁ ମ୍ ପର୍ଯ୍ୟନ୍ତ ପଚିଶଟି ସ୍ପର୍ଶବର୍ଣ୍ଣ। ଏଗୁଡ଼ିକର ଉଚ୍ଚାରଣ ସମୟରେ ଜିହ୍ବାର ଅଗ୍ର, ମଧ୍ଯ ବା ମୂଳର ସାହାଯ୍ୟ ନେଇ କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ ଓ ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡ଼ିଥାଏ।   

ଏହି ସ୍ପର୍ଶବର୍ଣ୍ଣଗୁଡ଼ିକ ପାଞ୍ଚଟି ବର୍ଗ ବା ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ବର୍ଗ୍ୟବର୍ଣ୍ଣ ନାମରେ ପରିଚିତ। ‘ଯ’ ଠାରୁ ‘ଁ ’ ପର୍ଯ୍ୟନ୍ତ ୧୩ ଅବର୍ଗ୍ୟ ବ୍ୟଞ୍ଜନ।

ବର୍ଗ୍ୟବ୍ୟଞ୍ଜନର ବିଭାଗୀକରଣ-

  1. କ ବର୍ଗ – କ୍, ଖ୍, ଗ୍, ଘ୍, ଙ୍- (କଣ୍ଠ୍ୟ ବର୍ଣ୍ଣ)
  2. ଚ ବର୍ଗ – ଚ୍, ଛ୍, ଜ୍, ଝ୍, ଞ୍ - (ତାଲବ୍ୟ ବର୍ଣ୍ଣ)
  3. ଟ ବର୍ଗ - ଟ୍, ଠ୍, ଡ୍, ଢ୍, ଣ୍ - (ମୂର୍ଦ୍ଧନ୍ୟ ବର୍ଣ୍ଣ)
  4. ତ ବର୍ଗ - ତ୍, ଥ୍, ଦ୍, ଧ୍, ନ୍ – (ଦନ୍ତ୍ୟ ବର୍ଣ୍ଣ)
  5. ପ ବର୍ଗ - ପ୍, ଫ୍, ବ୍, ଭ୍, ମ୍ – (ଓଷ୍ଠ୍ୟ ବର୍ଣ୍ଣ)

ଅବର୍ଗବ୍ୟଞ୍ଜନର ବିଭାଗୀକରଣ- 

ଅବର୍ଗ୍ୟ ବ୍ୟଞ୍ଜନବର୍ଣ୍ଣମାନଙ୍କର ବର୍ଗ ନାହିଁ; ଅର୍ଥାତ୍ ସେଗୁଡ଼ିକର ଉଚ୍ଚାରଣ ସ୍ଥାନ ଭିନ୍ନଭିନ୍ନ ଅଟେ।

  1. ଅନ୍ତଃସ୍ଥବର୍ଣ୍ଣ - ଯ୍, ୟ୍, ର୍, ଳ୍, ଲ୍, ୱ୍। ଉଚ୍ଚାରଣ କ୍ଷେତ୍ରରେ ଏଗୁଡ଼ିକ ସ୍ଵର ଓ ବ୍ୟଞ୍ଜନର ମଧ୍ୟବର୍ତ୍ତୀ ହେତୁ ଅନ୍ତଃସ୍ଥ ବର୍ଣ୍ଣ, ଏହା ମଧ୍ୟ  ଅର୍ଦ୍ଧ ସ୍ଵର ନାମରେ ପରିଚିତ। 
  2. ଉଷ୍ମବର୍ଣ୍ଣ – ଶ୍, ଷ୍, ସ୍, ହ୍ । ଏଗୁଡ଼ିକର ଉଚ୍ଚାରଣରେ ମୁଖରୁ ଅଧିକ ଉଷ୍ମା (ଉଷ୍ମତା) ନିର୍ଗତ ହୋଇଥାଏ।
  3. ଅଯୋଗବାହବର୍ଣ୍ଣ – °, ଃ, ଁ। ଏହି ବର୍ଣ୍ଣଗୁଡ଼ିକ ସ୍ଵର କିମ୍ବା ବ୍ୟଞ୍ଜନ ବର୍ଣ୍ଣର ଆଶ୍ରୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ। ଏଣୁ ଏଗୁଡ଼ିକୁ ମଧ୍ୟ ଆଶ୍ରିତ ବର୍ଣ୍ଣ କହନ୍ତି।

ଅନୁନାସିକବର୍ଣ୍ଣ – ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ – ଙ୍, ଞ୍, ଣ୍, ନ୍, ମ୍ ତଥା " ଁ " (ଚନ୍ଦ୍ରବିନ୍ଦୁର) ଓ " ଂ " ( ଅନୁସ୍ଵାର) ଉଚ୍ଚାରଣରେ ନାସିକାର ସାହାଯ୍ୟ ନିଆଯାଉଥ‌ିବାରୁ ଏଗୁଡ଼ିକୁ ଅନୁନାସିକ ବା ଅନୁନାସିକ୍ୟ ବର୍ଣ୍ଣ କହନ୍ତି

ବର୍ଣ୍ଣମାନଙ୍କର ଉଚ୍ଚାରଣ ସ୍ଥାନ : 

ବର୍ଣ୍ଣ ଉଚ୍ଚାରଣ ସ୍ଥାନ ନାମ
ଅ, ଆ, କ, ଖ, ଗ, ଘ, ଙ, ହ, ଃ କଣ୍ଠ କଣ୍ଠ୍ୟବର୍ଣ୍ଣ
ଇ, ଈ, ଚ, ଛ, ଜ, ଝ, ଯ, ୟ, ଶ ତାଳୁ ତାଲବ୍ୟବର୍ଣ୍ଣ
ଋ, ଟ, ଠ, ଡ, ଢ, ଣ, ଷ ମୂର୍ଦ୍ଧା ମୂର୍ଦ୍ଧଣ୍ୟବର୍ଣ୍ଣ
ତ, ଥ, ଦ, ଧ, ନ, ସ ଦନ୍ତ ଦନ୍ତ୍ୟବର୍ଣ୍ଣ
ଉ, ଊ, ପ, ଫ, ବ, ଭ, ମ ଓଷ୍ଠ ଓଷ୍ଠ୍ୟବର୍ଣ୍ଣ
ଏ, ଐ କଣ୍ଠ, ତାଳୁ କଣ୍ଠତାଲବ୍ୟ ବର୍ଣ୍ଣ
ଓ, ଔ କଣ୍ଠ, ଓଷ୍ଠ କଂଠୈାଷ୍ଠ୍ୟ ବର୍ଣ୍ଣ
ୱ (ଅନ୍ତଃସ୍ଥ ‘ବ’) ଦନ୍ତ, ଓଷ୍ଠ ଦନ୍ତୋଷ୍ଠ୍ୟ ବର୍ଣ୍ଣ
ଂ , ଁ ମୁଖ, ନାସିକା ଅନୁନାସିକ ବର୍ଣ୍ଣ
ଙ, ଞ, ଣ, ନ, ମ
(ବର୍ଗର ୫ମ ବର୍ଣ୍ଣ)
କଣ୍ଠ, ତାଳୁ,
ନାସିକା
ଅନୁନାସିକ ବର୍ଣ୍ଣ

ଅଳ୍ପପ୍ରାଣ ବ୍ୟଞ୍ଜନ– ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ଅଳ୍ପ ପ୍ରାଣ (ବାୟୁ) ନିର୍ଗତ ହୁଏ, ସେମାନଙ୍କୁ ଅଳ୍ପପ୍ରାଣ ବ୍ୟଞ୍ଜନ କହନ୍ତି। ପ୍ରତ୍ୟେକ ବର୍ଗର ପ୍ରଥମ, ତୃତୀୟ ଓ ପଞ୍ଚମ ବର୍ଣ୍ଣ ଅଳ୍ପପ୍ରାଣ ବ୍ୟଞ୍ଜନର ଅନ୍ତର୍ଗତ । ଯଥା- କ, ଗ, ଙ; ଚ, ଜ, ଞ; ଟ, ଡ, ଣ; ତ, ଦ, ନ; ପ, ବ, ମ ଏବଂ ଯ, ର, ଳ, ୱ।

ମହାପ୍ରାଣ ବ୍ୟଞ୍ଜନ– ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ମହାପ୍ରାଣ (ଅଧିକ ବାୟୁ) ନିର୍ଗତ ହୁଏ, ସେମାନଙ୍କୁ ମହାପ୍ରାଣ ବ୍ୟଞ୍ଜନ କହନ୍ତି। ପ୍ରତ୍ୟେକ ବର୍ଗର ଦ୍ଵିତୀୟ ଓ ଚତୁର୍ଥ ବର୍ଣ୍ଣ ମହାପ୍ରାଣ ବର୍ଣ୍ଣର ଅନ୍ତର୍ଗତ । ଯଥା- ଖ, ଘ; ଛ, ଝ; ଠ, ଢ; ଥ, ଧ; ଫ, ଭ ଏବଂ ଶ, ଷ, ସ, ହ।

ଅଘୋଷ ବ୍ୟଞ୍ଜନ– ଯେଉଁ ବର୍ଣ୍ଣଗୁଡ଼ିକର ଉଚ୍ଚାରଣରେ ସ୍ଵରତନ୍ତ୍ରୀ କମ୍ପିତ ହୋଇ ନ ଥାଏ, ସେଗୁଡ଼ିକୁ ଅଘୋଷ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ବିତୀୟ ବର୍ଣ୍ଣ ତଥା ଶ, ଷ ଓ ସ ଅଘୋଷ ବ୍ୟଞ୍ଜନ ଅଟେ।

ସଘୋଷ ବ୍ୟଞ୍ଜନ– ଯେଉଁ ବର୍ଷଗୁଡ଼ିକର ଉଚ୍ଚାରଣରେ ସ୍ଵରତନ୍ତ୍ରୀ କମ୍ପିତ ହୋଇଥାଏ, ସେଗୁଡ଼ିକୁ ସଘୋଷ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଣ୍ଣ ଏବଂ ଯ, ର, ଳ, ୱ ସଘୋଷବ୍ୟଞ୍ଜନ ଅଟେ।

ଡ, ଢ – ଶବ୍ଦର ପ୍ରଥମ ଅକ୍ଷର ଡ, ଢ ହୋଇଥିଲେ ଯେଉଁ ଉଚ୍ଚାରଣ ହୁଏ, ପରେ ଥିଲେ ଭିନ୍ନ ଉଚ୍ଚାରଣ ହୁଏ। ଯଥା- ଡବା, ଡମରୁ, ଡାହାଣ; ବାଡ଼, ଗଡ଼, ସଡ଼କ; ଢଗ, ଢାମଣା, କଢ଼, ଦାଢ଼ ଇତ୍ୟାଦି। କେହି କେହି ଦ୍ଵିତୀୟ ପ୍ରକାର ଉଚ୍ଚାରଣ ପାଇଁ ଡ, ଢ ତଳେ ବିନ୍ଦୁ ଦେଇ ଲେଖନ୍ତି। ଯଥା- ଛଡ଼, ପଢ଼ା। ଡ, ଢ ଓ ଅଧୋବିନ୍ଦୁ ଥବା ଡ଼, ଢ଼, ର ପ୍ରୟୋଗରେ କୌଣସି ଅର୍ଥଗତ ପରିବର୍ତ୍ତନ ଘଟେ ନାହିଁ। ଏଣୁ ଅଧୋବିନ୍ଦୁ ବିଯୁକ୍ତ ଓ ଅଧୋବିନ୍ଦୁ ଯୁକ୍ତ ଡ, ଢ ଦୁଇ ପ୍ରକାରର ବର୍ଣ୍ଣ ନୂହନ୍ତି। 

ଚ-ଡ, ଢ କୁ ଅନୁସରଣ କରି କେହି କେହି 'ଚ' ତଳେ ବିନ୍ଦୁ ଦେଇଥାନ୍ତି।  ଏହା ଏକ ଭୁଲ୍‌ ବ୍ୟବହାର।  'ଚ' ତଳେ ଅଧୋବିନ୍ଦୁ ନାହିଁ। 

ଡ, ଞ, ଣ, ଳ- ଏହି ଚାରୋଟି ବର୍ଣ୍ଣ ଶବ୍ଦର ପ୍ରଥମ ଅକ୍ଷର ରୂପେ ବ୍ୟବହୃତ ହୋଇପାରନ୍ତି ନାହିଁ। 

ଡ଼, ଞ ର ବ୍ୟବହାର କେତୋଟି ଶବ୍ଦରେ ମାତ୍ର ସୀମିତ। ଯଥା- ଆକାଙକ୍ଷା, ବାଙ୍ମୟ, ନଞ୍ତତ୍‌ ପୁରୁଷ, ଯାଚ୍ଞା। ବର୍ଣ୍ଣମାଳାରେ ଥବା ଏହି ବର୍ଣ୍ଣ ଦୁଇଟିର ଆଉ ସ୍ଵତନ୍ତ୍ର ଉଚ୍ଚାରଣ ନାହିଁ। 

ଣ- ଯୁକ୍ତାକ୍ଷରରେ  'ଣ' ର ଉଚ୍ଚାରଣ 'ନ' ହୋଇଥାଏ।  ଯଥା- କାରୁଣ୍ୟ-କାରୁନ୍ୟ, ପର୍ଣ-ପନ୍ନ, ତଣ୍ଟି-ତନ୍‌ଟି। ଙ, ଞ, ଣ, ନ, ମ (ବର୍ଗର ପଞ୍ଚମ ବର୍ଣ୍ଣ), °, ଁ  ¬ ଏହି ବର୍ଣ୍ଣଗୁଡ଼ିକୁ ଅନୁନାସିକ ବର୍ଣ୍ଣ କହନ୍ତି। କାରଣ ଉଭୟ ମୁଖଗହ୍ଵର ଓ ନାସିକା ସାହାଯ୍ୟରେ ଏମାନେ ଉଚ୍ଚାରିତ ହୁଅନ୍ତି।

ନ, ମ- ଏହି ବର୍ଣ୍ଣଦ୍ଵୟ ଅନୁନାସିକ; ମାତ୍ର ଶବ୍ଦର ଆଦ୍ୟରେ ରହିଲେ ଅନୁନାସିକ ହୋଇ ନ ଥା'ନ୍ତି। ଯଥା- ଜନ, ବନ ଶବ୍ଦରେ 'ନ' ଅନୁନାସିକ; କିନ୍ତୁ ନଜର, ନବ ଶବ୍ଦରେ 'ନ' ଅନୁନାସିକ ନୁହନ୍ତି। “ନୟନ” ଏହି ଶବ୍ଦର ପ୍ରଥମ 'ନ' ଅନୁନାସିକ ନୁହେଁ; ମାତ୍ର ଶେଷ 'ନ' ଅନୁନାସିକ ଅଟେ। ସେହିପରି 'ମଧୁ' ରେ 'ମ' ଅନୁନାସିକ ନୁହେଁ; କିନ୍ତୁ 'ରାମ' ରେ 'ମ' ଅନୁନାସିକ।

ଯ, ୟ ¬ ଓଡ଼ିଆ ବର୍ଣ୍ଣମାଳାରେ ଏ ଦୁଇଟି ପୃଥକ୍‌ ବର୍ଣ୍ଣ। ଉଭୟର ସ୍ଵତନ୍ତ୍ର ପ୍ରୟୋଗ ରହିଛି। ଯଥା- ଯଥା, ଯମୁନା, ଯାତନା; ଲୟ, କାୟ, ଶୟନ। ପୁନଶ୍ଚ ଏହି ବର୍ଣ୍ଣଦ୍ଵୟର ଉଚ୍ଚାରଣ ମଧ୍ଧ ସ୍ଵତନ୍ତ୍ର।

ଳ, ଲ- ଓଡ଼ିଆ ଭାଷାରେ ଏ ଦୁଇଟି ପୃଥକ୍‌ ବର୍ଣ୍ଣ। ଉଚ୍ଚାରଣ ଓ ଲିଖିତ ରୂପରେ ଏ ଦୁଇଟି ପରସ୍ପରଠାରୁ ଭିନ୍ନ। ଯଥା- ସକାଳ, ଦେଉଳ, ଫଳ, ଲମ୍ବର ଲେଉଟିଆ, କାଲ। ଅର୍ଥପ୍ରକାଶ ଦୃଷ୍ଟିରୁ ବର୍ଣ ଦୁଇଟି ମଧ୍ୟ ଭିନ୍ନ। ଯଥା- ପାଲ-ପାଳ, ପାଳି-ପାଲି। 

ୱ- ଆମ ଭାଷାରେ ଅବର୍ଗ୍ୟ 'ବ' ସ୍ଥାନରେ ଏହି ନୂତନ ଲିପି 'ୱ' ର ବ୍ୟବହାର କରାଯାଉଛି। ବିଶେଷତଃ କେତେକ ଦେଶୀ, ବିଦେଶୀ ଶବ୍ଦର ଲେଖାପାଇଁ ଏହାର ଅତ୍ୟାବଶ୍ୟକତା ରହିଛି। ଯଥା- ବେୱା, ୱାର୍ଦ୍ଧା, ହାୱା, ଓାରେଣ୍ଟ, ରେଲୱେ, ୱାଚ୍‌, ୱାରେନହେଷ୍ଟିଙ୍ଗସ୍, ୱାଟର, କନୱାର ସିଂ, ଆୱଜ।

ଃ (ବିସର୍ଗ)- ଓଡ଼ିଆ ଭାଷାରେ ଃ (ବିସର୍ଗର) ସ୍ଵତନ୍ତ୍ର ଉଚ୍ଚାରଣ ନାହିଁ। ବିସର୍ଗଯୁକ୍ତ କେତେକ ଶବ୍ଦ ଥଲେ ମଧ୍ୟ ଉଚ୍ଚାରଣରେ ବିସର୍ଗର ପରିପ୍ରକାଶ ଘଟେ ନାହିଁ। ଯେପରି ଦୁଃଖୀ, ଦୁଃଶାସନ, ଦୁଃସାହସ, ଦୂଃସ୍ଥ, ନିଃଶ୍ବାସ, ନିଃସୃତ ଶବ୍ଦଗୁଡ଼ିକ ଯଥାକ୍ରମେ ଦୁଖୀ, ଦୁଶାସନ, ଦୂସ୍ଥ, ନିଶ୍ଵାସ, ନିସୃତ ପରି ଉଚ୍ଚାରିତ ହୁଏ; ମାତ୍ର କେହି ବିସର୍ଗ ଉପରେ ଜୋର୍‌ ଦେଇ ଉଚ୍ଚାରଣ କଲେ, ସେଠାରେ ବିସର୍ଗର 'ହ' ଉଚ୍ଚାରଣ ହୋଇଥାଏ। ସଂସ୍କୃତ ଶବ୍ଦାବଳୀରେ ' ଃ' ର ବ୍ୟବହାର ଅଧୁକ। ସେଠାରେ ଃ 'ହ' ରୂପେ ଉଚ୍ଚାରିତ ହୁଏ। ଯଥା- ରାମଃ, ମନଃ, ବକ୍ଷଃ, ପୟଃ।

°, ଁ  (ଅନୁସ୍ୱାର ଓ ଚନ୍ଦ୍ରବିନ୍ଦୁ)- ଏହି ବର୍ଣ୍ଣଦ୍ଵୟର ଉଚ୍ଚାରଣ ସ୍ଵରବର୍ଣ୍ଣ ସହିତ ସର୍ବଦା ସଂଶ୍ଲିଷ୍ଟ। ଅନୁସ୍ବାର ଓ ଚନ୍ଦ୍ରବିନ୍ଦୁଯୁକ୍ତ ଶବ୍ଦରେ ଉଭୟ ସ୍ଵରକୁ ଆଶ୍ରୟ କରି ରହିଥାନ୍ତି। ସ୍ଵରରୁ ଏମାନଙ୍କୁ ପୁଥକ୍‌ କରି ହୁଏ ନାହିଁ। ଯଥା- ହଂସ (ହ+ଅଂ+ସ), ମାଂସ, କଂସା, ଦଂଶନ, ଅଁଳା, କୁଆଁରୀ, ଚଅଁର, ଘାଉଁରି। ଏଣୁ ଏ ଦୁଇଟିକୁ ଅବିଭାଜ୍ୟ ବର୍ଣ୍ଣ କୁହାଯାଇଥାଏ। 

ଶ, ଷ, ସ - ଏହି ତିନୋଟି ବର୍ଣ୍ଣର ଉଚ୍ଚାରଣ ଓଡ଼ିଆରେ ପ୍ରାୟ 'ସ' ହୋଇଥାଏ।  

ଅନୁଶୀଳନୀ

୧. ଭାଷା କାହାକୁ କହନ୍ତି ?
୨.  ବର୍ଣ୍ଣ କାହାକୁ କୁହାଯାଏ ?
୩.  ଓଡ଼ିଆ ବର୍ଣ୍ଣମାଳାରେ କେତୋଟି ବର୍ଣ୍ଣ ଅଛି ?
୪.  ଓଡ଼ିଆରେ ସ୍ଵରବର୍ଣ୍ଣ କେତୋଟି ଓ ସେମାନଙ୍କର ଧ୍ଵନିସଂଖ୍ୟା କେତେ ?
୫.  ବ୍ୟଞ୍ଜନ ବର୍ଣ୍ଣ କାହାକୁ କହନ୍ତି ? ପାଞ୍ଚଟି ବ୍ୟଞ୍ଜନବର୍ଣ୍ଣ ଲେଖ ।
୬.  ବର୍ଗ୍ୟବର୍ଣ୍ଣ କାହାକୁ କହନ୍ତି ଓ ଏହାର ଅନ୍ୟ ନାମ କ'ଣ ?
୭.  ପ୍ରତ୍ୟେକ ବର୍ଗର ତୃତୀୟ ବର୍ଣ୍ଣଗୁଡ଼ିକର ନାମ ଲେଖ ।
୮.  ଐ, ଔ କୁ ସନ୍ଧ୍ୟକ୍ଷର ବା ଯୁକ୍ତସ୍ଵର କାହିଁକି କୁହାଯାଏ ?
୯.  କେଉଁଗୁଡ଼ିକ ଦନ୍ତ୍ୟବର୍ଣ୍ଣ ?
୧୦.  ଅନୁନାସିକ ବର୍ଣ୍ଣମୁଡ଼ିକର ନାମ ଲେଖ ।
୧୧.  ଅଧୋବିନ୍ଦୁ ଥିବା ଡ଼, ଢ଼ କୁ ନେଇ ତିନୋଟି ଲେଖାଏଁ ଶବ୍ଦ ଲେଖ।
୧୨.  'ଓ' ବର୍ଣ୍ଣ ଥବା ପାଞ୍ଚଟି ଶବ୍ଦ ଲେଖ।

Previous Post Next Post

Contact Form